ଅଗଷ୍ଟରୁ ପୁଲିସଙ୍କ ଫିଟ୍‌ନେସ୍‌ ଚାଲେଞ୍ଜ୍‌ : ଥାନା କର୍ମଚାରୀ ଘରେ କରିବେ ଦୁଇ ଘଣ୍ଟା ବ୍ୟାୟାମ ।

ପେଟ ବାହାରିଥିବା ଅନ୍‌ଫିଟ୍‌ ପୁଲିସ ବାବୁ ଓ କର୍ମଚାରୀଙ୍କ ପାଇଁ ଫିଟ୍‌ନେସ୍‌ କୋର୍ସ ଅଗଷ୍ଟରୁ ଆରମ୍ଭ ହେଉଛି । ଅଗଷ୍ଟ ପହିଲାରୁ ଅନ୍‌ଫିଟ୍‌ ପୁଲିସ ବାବୁ ନିଜକୁ ଫିଟ୍‌ ଓ ସୁସ୍ଥ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିବେ । ଏଥିପାଇଁ ସବୁ ପୁଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁ କର୍ମଚାରୀ ଓ ଅଧିକାରୀମାନେ ରିଜର୍ଭ ଅଫିସରେ ଚାକିରି କରିଛନ୍ତି ସେମାନଙ୍କ ଫିଟ୍‌ କରାଇବା କାମ ରିଜର୍ଭ ଇନ୍ସପେକ୍ଟର୍‌ଙ୍କୁ ଦିଆଯାଇଛି । ଯେଉଁମାନେ ଥାନାରେ କାମ କରୁଛନ୍ତି ସେମାନେ ପ୍ରତ୍ୟହ ଘରେ ଦୁଇ ଘଣ୍ଟା ବ୍ୟାୟାମ କରିବେ । ଅକ୍ଟୋବର ଶେଷ ସୁଦ୍ଧା ନିଜକୁ ଫିଟ୍‌ ନକଲେ ଏଭଳି କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ପୁଲିସ ବାହିନୀରେ ଭର୍ତ୍ତି ହେବା ସମୟରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ସଂପୂର୍ଣ୍ଣ ଫିଟ୍‌ ଥିଲେ । ମାତ୍ର କିଛି ଦିନ ଚାକିରି କରିବା ପରେ ସେମାନେ ନିଜର ସ୍ୱାସ୍ଥ୍ୟପ୍ରତି ଆଉ ଯତ୍ନବାନ ହେଉନାହାନ୍ତି । ତେଣୁ ଅଧିକାଂଶ ପୁଲିସ କର୍ମଚାରୀ ଦିନକୁ ଦିନ ମୋଟା ହେବା ସହ ପେଟ ବଡ଼ ହେବାରେ ଲାଗିଛି । ଏହା ଦ୍ୱାରା ସେମାନେ ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ଓ ହାର୍ଟ ରୋଗ ଭଳି ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି । ସାଂପ୍ରତିକ ସ୍ଥିତିରେ ପୁଲିସ ବାହିନୀ ସବୁ ବେଳେ ଫିଟ୍‌ ରହିବା ଦରକାର । କେତେ ବେଳେ ଯେ’ ପରିସ୍ଥିତି କ’ଣ ହେବ ସେଥିପାଇଁ ପୁଲିସ କର୍ମଚାରୀ ନିଜକୁ ସଂପୂର୍ଣ୍ଣ ଫିଟ୍‌ ରଖିବା ଦରକାର ବୋଲି ସପ୍ତାହେ ତଳେ ଟୁଇନ୍‌ସିଟି ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ମତ ଦେଇଥିଲେ ।

ଅନ୍‌ଫିଟ୍‌ ପୁଲିସ କର୍ମଚାରୀମାନେ ତତ୍ପରତା ଦେଖାଇ ତୁରନ୍ତ ଫିଟ୍‌ ହେବାକୁ କମିସନର ନିର୍ଦ୍ଦେଶ ଦେଇଥିଲେ । ଅନ୍ୟଥା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କୁହାଯାଇଛି । ତେଣୁ ଏହି କ୍ରମରେ କଟକ ସହରାଚଞ୍ଚଳ ପୁଲିସ ଅଧୀନରେ କାମ କରୁଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆସନ୍ତା ୧ ତାରିଖରୁ ନିଜର ଫିଟ୍‌ନେସ୍‌ ଟ୍ରେନିଂ ଆରମ୍ଭ କରନ୍ତୁ ବୋଲି ନିର୍ଦ୍ଦେଶ ଜାରି ହୋଇଛି । ଯେଉଁ ପୁଲିସ କର୍ମଚାରୀମାନେ କିଛି ଦିନ ପୂର୍ବରୁ ମେଡ଼ିକାଲ୍‌ ଯାଞ୍ଚ୍‌ ବେଳେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା ସେହି କର୍ମଚାରୀ ଓ ଯେଉଁମାନେ ମୋଟା ଅଛନ୍ତି ବା ପେଟ ବାହାରିଛି ସେମାନେ ତୁରନ୍ତ ବ୍ୟାୟାମ ଆରମ୍ଭ କରନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରିଜର୍ଭ ଅଫିସ ଅଧୀନରେ ଚାକିରି କରିଥିବା କର୍ମଚାରୀଙ୍କୁ ରିଜର୍ଭ ଇନ୍ସପେକ୍ଟର ପ୍ରତିଦିନ ଶାରୀରିକ ଫିଟନେସ୍‌ ତାଲିମ ବା ପିଇଟି କରାଇବେ । ଦୌଡ଼ ସହିତ ବିଭିନ୍ନ ଶାରିରୀକ ବ୍ୟାୟାମ ମଧ୍ୟ କରାଇବେ ।

ଏହି କର୍ମଚାରୀମାନେ ପ୍ରତ୍ୟହ ଦୁଇ ଘଣ୍ଟାର ୱାର୍କଆଉଟ୍‌ କରିବେ । ସେହିପରି ଥାନାରେ କାମ କରୁଥିବା କର୍ମଚାରୀମାନେ ନିଜ ଘରେ ବ୍ୟାୟାମ କରିବେ । ଏହା ଛଡ଼ା ଏହି ସବୁ କର୍ମଚାରୀମାନଙ୍କୁ ଖାଦ୍ୟପେୟ ଉପରେ ସଂଯତ ହେବାକୁ ପରାମର୍ଶ ଦିଆଯାଇଛି । ତେଲଜାତୀୟ ବା ଚର୍ବିବର୍ଦ୍ଧକ ଖାଦ୍ୟ ଅଧିକ ନଖାଇବାକୁ କୁହାଯାଇଛି । କେବଳ ସେତିକି ନୁହେଁ, କର୍ମଚାରୀମାନେ ନିଜର ଫିଟ୍‌ନେସ୍‌ ପାଇଁ ରିଜର୍ଭ ଇନ୍ସପେକ୍ଟର ଓ ପୁଲିସ ହସ୍ପିଟାଲ୍‌ରେ ଥିବା ଡାକ୍ତରଙ୍କର ପରାମର୍ଶ ମଧ୍ୟ ନେଇପାରିବେ । ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଏହି ଫିଟ୍‌ନେସ୍‌ ତାଲିମ ଜାରି ରହିବ । ଅକ୍ଟୋବର ଶେଷ ସୁଦ୍ଧା ଶରୀରର ଫିଟ୍‌ନେସ୍‌ ବା ବଡି ମାସ୍‌ ଇନ୍‌ଡେକ୍ସକୁ ୩୦କୁ ଆଣିବାକୁ ପଡ଼ିବ ବୋଲି ଏକପ୍ରକାର ଟାର୍ଗେଟ୍‌ ଦିଆଯାଇଛି । ନଭେମ୍ୱର ପ୍ରଥମ ସପ୍ତାହରେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ଦ୍ୱାରା ବଡ଼ି ମାସ୍‌ ଇନ୍‌ଡେକ୍ସ ପରୀକ୍ଷା କରାଯିବ । ଯେଉଁମାନେ ଏଥିରେ ଅନ୍‌ଫିଟ୍‌ ଘୋଷିତ ହେବେ ସେମାନଙ୍କୁ ପୁଣି ଥରେ ୬ ସପ୍ତାହର ଫିଟନେସ୍‌ ରିଫ୍ରେସର କୋର୍ସ କରିବାକୁ ପଡିବ ।

Leave a Reply

Your email address will not be published.