ଭାରତରେ ପହଞ୍ଚିଲା ୫ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ

ଭାରତରେ ପହଞ୍ଚିଲା ଯୁଦ୍ଧ ବିମାନ ରାଫେଲ୍। ହରିୟାଣାର ଅମ୍ବାଲା ଏୟାରବେସଠାରେ ଲ୍ୟାଣ୍ଡ କଲା ଏହି ଫାଇଟର ଜେଟ୍। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି,”ଭାରତୀୟ ପ୍ରତିରକ୍ଷା ଇତିହାସରେ ନୂଆ ଯୁଗର ଆମ୍ଭ ହୋଇଛି। ଭାରତୀୟ ବାୟୁସେନାରେ ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।” ଏହା ସହ ଏଭଳି ଏକ ଉଚିତ୍ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ତେବେ ପାଞ୍ଚଟିଯାକ ଯୁଦ୍ଧ ବିମାନ ଅମ୍ବାଲାଠାରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଓ୍ୱାଟର କ୍ୟାନନ୍ ସେଲୁଟ୍ କରାଯାଇ ଏହି ଯୁଦ୍ଧ ବିମାନଗୁଡ଼ିକର ସ୍ୱାଗତ କରାଯାଇଥିଲା। ଏହି ସମୟରେ ଉପସ୍ଥିତ ଥିଲେ ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୋରିଆ।

ତେବେ ଫ୍ରାନ୍ସର ମେରିଗ୍ନାକଠାରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲା ସମୁଦାୟ ପାଞ୍ଚଟି ରାଫେଲ୍ ଯୁଦ୍ଧ ବିମାନ। ଗତ ମଙ୍ଗଳବାର ଦିନ ଫ୍ରାନ୍ସରୁ ବାହାରି ଆଜି ଭାରତର ଅମ୍ବାଲା ଏୟାରବେସଠାରେ ଲ୍ୟାଣ୍ଡ କରିଛି ଏହି ରାଫେଲ ଫାଇଟର ଜେଟ୍।

ଏହି ପାଞ୍ଚଟି ଯୁଦ୍ଧି ବିମାନ ମଧ୍ୟରୁ ଦୁଇଟି ଟୁ-ସିଟର୍ ବିମାନ ଥିବା ବେଳେ ତିନିଟି ସିଙ୍ଗଲ୍ ସିଟର୍ ବିମାନ ରହିଛି। ବର୍ତ୍ତମାନ ଅମ୍ବାଲା ବିମାନଘାଟିରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ତିନି କି.ମି ଯାଏଁ ଅଞ୍ଚଳକୁ ‘ନୋ ଫ୍ଲାଇଙ୍ଗ୍ ଜୋନ’ ଘୋଷଣା କରାଯାଇଛି। ଏହା ସହ ୧୪୪ ଧାରା ମଧ୍ୟ ଜାରି କରାଯାଇଛି।

Leave a Reply

Your email address will not be published.