ଡମପଡା ଅଭୟାରଣ୍ୟରେ ନିଆଁ ସାଙ୍ଗକୁ ଶିକାରୀ ଭୟ, ବାଟବଣା ହରିଣ ଓ କୁଟୁରା

ନାଗରାଜ ନ୍ୟୁଜ୍ : ବେଶ୍ କିଛି ଦିନ ହେବ ସରା ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗି ଜଳୁଥିବା ବେଳେ ନିଆଁ ଲାଗିବାରୁ ବାଦ୍ ପଡିନି ଚନ୍ଦକା – ଡମପଡା ଅଭୟାରଣ୍ୟ। ଚନ୍ଦକା – ଡମପଡା ଅଭୟାରଣ୍ୟ ମଧ୍ୟରେ କୁମାର ଖୁଣ୍ଟି ଓ କୁଶପଙ୍ଗୀ ସମେତ ଅନେକ ସ୍ଥାନରେ ନିଆଁ ଲାଗି ଜଳିଯାଇଛି ଅଧିକାଂଶ ଜଙ୍ଗଲ। ଫଳରେ ଜଙ୍ଗଲ ଜନ୍ତୁଙ୍କ ବାସ ସ୍ଥାନ ସଂଙ୍କୁଚିତ ହେବା ସହିତ ସେମାନଙ୍କ ଭିତରେ ଅଗ୍ନୀ ଭୟର ଛନକା ପସିଛି। ଖରାଦିନ ଚାଲିଥିବାରୁ ଏମାନଙ୍କ ପାଇଁ ପାନୀୟ ଜଳ ସଂଙ୍କଟ ମଧ୍ୟ ଦେଖା ଦେଇଛି। ଜଙ୍ଗଲ ମଧ୍ୟରେ ନିଆଁର ଭୟ ସାଙ୍ଗକୁ ଖାଦ୍ୟ,ପାନୀୟ ଅ‌ନ୍ବେଷଣରେ ଅଭୟାରଣ୍ୟ ଉପକଣ୍ଠ ଗ୍ରାମାଞ୍ଚଳ ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ। ଏତିକି ବେଳେ ଗାଁ ମୁାହାଁ ହୋଇଥିବା ହରିଣ,ମିରିଗ,କୁଟୁରାଙ୍କୁ ଶୀକାର କରିବା ପାଇଁ ସକ୍ରୀୟ ହୋଇ ଉଠିଛନ୍ତି ଶିକାରୀମାନେ। କୁକୁର ଲଗାଇ ଘଉଡାଇବା ସହ ସେମାନଙ୍କୁ  ସହଜରେ ଶୀକାର କରୁଥିବା ଆଲୋଚନା ହେଉଛି।

ନିକଟରେ ଗତ ୧୪ ତାରିଖରେ ଏଭଳି ଡମପଡା ଅଭୟାରଣ୍ୟକୁ ଲାଗିଥିବା ବାରଙ୍ଗ ବ୍ଲକର ଗୋଡିସାହି ଗ୍ରମାରୁ ଭଗିପୁର ରେଞ୍ଜ କର୍ମଚାରୀମାନେ ଏକ କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ। ଏହାର ଠିକ୍ ପରଦିନ ଗତ ୧୫ ତାରିଖରେ ପୁଣି ଏକ କୁଟୁରାକୁ  ନରାଜ ଗ୍ରାମରୁ ଉଦ୍ଧାର କରି ଭଗିପୁର ବନ ବିଭାଗ କର୍ମଚାରୀ ଅଭୟାରଣ୍ୟ ମଧ୍ୟରେ ଛାଡିଥିଲେ। ପୁଣି ୨୩ ତାରିଖରେ ଏକ ଚିତ୍ରାହରିଣକୁ ପଦ୍ମନାଭ ନଗରର କ୍ଷେତ୍ରପାଳ ମନ୍ଦିର ପରିସରରୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛି। ଲଗାତର ଭାବେ ସପ୍ତାହକ ମଧ୍ୟରେ ଉଦ୍ଧାର କରାଯାଇଥିବା ଦୁଇଟି କୁଟୁରା ଓ ଏକ ଚିତ୍ରା ହରିଣକୁ ମିଶାଇ ୩ଟି ଜୀବରୁ ସ୍ପଷ୍ଟ ଭାବେ ଜଣା ପଡେ ଜଙ୍ଗଲରେ ଭୟଙ୍କର ରୂପ ଧାରଣ କରିଥିବା ନିଆଁ ଓ ଶିକାରୀ ମାନଙ୍କ ନଜର ପଡିଥିବା କାରଣରୁ ଏହି ପ୍ରାଣୀମାନଙ୍କ ପ୍ରତି ବିପଦ ଘନେଇଛି।

 

 

ଜଙ୍ଗଲ ଓ ପରିବେଶକୁ ବଞ୍ଚାଇବା ସହିତ ବିପଦରେ ପଡିଥିବା ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାଲାଗି କର୍ମଚାରୀ ମାନେ ତତ୍ପରତାର ସହ ତଦନ୍ତ କରି ନିଆଁ ଲାଗିବା ପଛର କାରଣ ବାହାର କରିବା ସହିତ ଶିକାରୀ ମାନଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ ହୋଇପଡିଛି। ଜଙ୍ଗଲ ସହିତ ଏହା ମଧ୍ୟରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ସୁରକ୍ଷା ଦିଆଯାଇ ନପାରିଲେ ପରିବେଶର ସନ୍ତୁଳନ ରକ୍ଷା ହୋଇପରିବ ନାହିଁ। ପ୍ରକୃତି ପରିବେଶ ଭାରସାମ୍ୟ ହରାଇବା, ଫଳରେ ଭୟଙ୍କର ପ୍ରାକୃତିକ ବିପର୍ଯୟ ମାଡି ଆସିବ। ଯାହାର ପରାଭବ ସମଗ୍ର ମାନବ ସମାଜ ଭୋଗ କରିବ।

Leave a Reply

Your email address will not be published.