ଆଜି ଓଡିଶା ବନ୍ଦ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ଓଡିଶା ବନ୍ଦ ‌ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏ ଦୋକାନ, ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ କଂଗ୍ରେସବି ଏହି ବନ୍ଦକୁ ସମର୍ଥନ କରିଛି । ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌ ଓ ଫରୱାର୍ଡ ବ୍ଲକ୍‌ ଏହି ଡାକରା ଦେଇଛନ୍ତି। ଏଥିପାଇଁ ଜାତୀୟ ରାଜପଥ ୧୬ ଅବରୋଧ କରିଛନ୍ତି ବାମପନ୍ଥୀ ଦଳ।

ଦଳ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଓ ସାଇକେଲ ଯାତ୍ରା ହେବ । ଦରବୃଦ୍ଧିର ପ୍ରତିବାଦରେ ଦିନଟିଏ ପାଇଁ ଲୋକେ ପେଟ୍ରୋଲ, ଡିଜେଲ ନକିଣିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ବନ୍ଦକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ ପାଇଁ ପଦକ୍ଷେପ ନିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଫିସର ଓ କର୍ମଚାରୀମାନେ ସକାଳ ୯ଟା ୧୫ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ କୁହାଯାଇଛି । ଦିନ ୧୦ଟା ୧୫ରେ ଲୋକସେବା ଭବନର ସମ୍ମୁଖ ଫାଟକ ବନ୍ଦ କରି ଦିଆଯିବ । ପଛ ପାଖ ଫାଟକରେ ଯାତାୟତ ଜାରି ରହିବ ।

ଫାଟକରେ କର୍ମଚାରୀଙ୍କ ପରିଚୟପତ୍ର ଓ ଆସୁଥିବା ଲୋକଙ୍କ ପାସ୍‌କୁ କଡ଼ା ଯାଞ୍ଚ କରାଯିବ । କାର୍‌ ପାସ୍‌ ନଥିଲେ ଗାଡ଼ି ଭିତରକୁ ନେବାକୁ ଅନୁମତି ଦିଆଯିବନି । କେବଳ ଜରୁରୀ କାମରେ ଲୋକସେବା ଭବନକୁ ଆସୁଥିବା ପରିଦର୍ଶକଙ୍କୁ ଭିତରକୁ ଯିବାକୁ ଅନୁମତି ଦେବାକୁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି । ସମସ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ଗୃହ ବିଭାଗ ପକ୍ଷରୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ଯାଏ ଗ୍ରାହକଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ ଅଭିଯାନ ହେବ । ଦରଦାମ୍‌ ବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବାକୁ ସରକାରଙ୍କ ପାଖରେ ଦୃଢ଼ ଦାବି ରଖାଯିବ ।ବନ୍ଦକୁ ସଫଳ କରିବାକୁ ଗୁରୁବାର ଗୋଟିଏ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ନ କିଣିବାକୁ ଅପିଲ୍‌ କରାଯାଇଛି ।

Leave a Reply

Your email address will not be published.