ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନିମନ୍ତେ ଓଡିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ, (ନାଗରାଜ ନ୍ୟୁଜ ): ୦୮/୦୮/୨୦୨୦

ରାଜେଶ କୁମାର ଲେଙ୍କା (କଟକ):
ରାଜ୍ୟରୁ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ପ୍ରଥାର ମୁଳୋତ୍ପାଟନ ନିମନ୍ତେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ (PIL) ମୋକଦ୍ଦମା ରୁଜୁ କରାଯାଇଛି । ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଆସି ସରକାରୀ ଅନୁଦାନ ପଦବୀରେ କାମ କରୁଥିବା ହଜାର ହଜାର ଉଚ୍ଚଶିକ୍ଷିତ ଯୁବକର୍ମଚାରୀଙ୍କୁ ରାଜ୍ଯ ସରକାର ସମାନ କାମକୁ ସମାନ ଦରମା ନ ଦେଇ ଦିନ ମଜୁରିଆଙ୍କ ଠାରୁ କମ ଦରମା ଦେବା ଏବଂ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ସର୍ବନିମ୍ନ ବେସିକ ପେ 18000 ଟଙ୍କା ପରିବର୍ତ୍ତେ ଅସାମ୍ବିଧାନିକ ଭାବେ ଏକ ସଂଶୋଧିତ ଚୁକ୍ତିଭିତ୍ତିକ ନିୟମ ମାଧ୍ଯମରେ ଷଷ୍ଠ ବେତନ କମିଶନର ମୂଳ ଦରମା ଉପରେ ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ମାତ୍ର 8000ରୁ 10000 ଟଙ୍କା ମାସିକ ଦରମା ଦେବାର ବ୍ଯବସ୍ଥା ବିରୁଦ୍ଧରେ ରୁଜ୍ଜୁ ହୋଇଥିବା ଏହି ମାମଲାଟିକୁ ମାନ୍ଯବର ବିଚାରପତି ଶ୍ରୀଯୁକ୍ତ ବିଶ୍ଵନାଥ ରଥ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଆଗାମୀ ୬ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ଓଡ଼ିଶାରେ ୨୦୧୩ରୁ ଲାଗୁ ହୋଇଥିବା ଏହି ଚୁକ୍ତିଭିତ୍ତିକ ପ୍ରଥା ଅନୁସାରେ ହଜାରହଜାର ଯୁବକର୍ମଚାରୀ ସର୍ବନିମ୍ନ ମୂଳଦରମାଠୁ କମ୍ ଏପରିକି ଦିନ ମଜୁରିଆଙ୍କ ଠାରୁ ମଧ୍ୟ କମ ବେତନରେ ଜୀବନଯାପନ କରୁଛନ୍ତି। ବି-ଟେକ, ଏମ-ଟେକ, ଏମ.ବି.ଏ, ଏମ.ସି.ଏ. ଭଳି ଉଚ୍ଚଶିକ୍ଷିତ ଯୁବକଯୁବତୀ ଏଭଳି କୁତ୍ସିତ ପ୍ରଥାର ଶିକାର ହୋଇ ଯଦି ମୁଲଠୁ କମ ଦରମା ପାଇବେ ଆମ ରାଜ୍ୟ ତଥା ସମାଜରେ ଶିକ୍ଷାର ମୂଲ୍ୟ କଣ ରହିବ। ୨୦୧୬ ମସିହାରେ ମାନ୍ଯବର ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମା ଦେବାର ଆଦଶ କରିଥିଲେ ହେଁ, ଆମ ଓଡିଶାରେ ତାହା ଏ ପର୍ଯ୍ଯନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ। ୨୦୧୭ ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାକୁ 2.57 ହାରରେ ବୃଦ୍ଧି କରାଇଲେ। କିନ୍ତୁ ରାଜ୍ଯର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୂଳ ଦରମାରେ ମାତ୍ର 1.25 ହାରରେ ବୃଦ୍ଧି କରି ସେମାନଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଯୁବବିରୋଧୀ ପଦକ୍ଷେପ।

ଏହି ଅନ୍ଯାୟ ବିରୁଦ୍ଧରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବହୁବାର ରାଜରାସ୍ତାକୁ ଓହ୍ଲାଇ ଗାଣତାନ୍ତ୍ରିକ ଆନ୍ଦୋଳନ ମାଧ୍ଯମରେ ସରକାରଙ୍କ ନିକଟରେ ସ୍ବର ଉତ୍ତୋଳନ କରିଥିଲେ। କିନ୍ତୁ ପ୍ରତିଥର ସେମାନଙ୍କୁ ସରକାର ମିଛ ପ୍ରତିଶୃତି ଦେଇ ଭୁଆଁ ବୁଲାଇ ଦେଇଥିଲେ। ପୁନଶ୍ଚ ଏଭଳି ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ ଏହି ଯୁବ କର୍ମଚାରୀମାନେ ଡିଜିଟାଲ ଆନ୍ଦୋଳନ ତଥା ଇ- ଅଭିଯୋଗ ଜରିଆରେ ସ୍ୱର ଉତ୍ତୋଳନ କଲେ। କିନ୍ତୁ ଏହା ପରେ ବି ସରକାର ନିଜ ତରଫରୁ ମୁହଁ ଖୋଲିଲେ ନାହିଁ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ସାଜିଥିବା ଏହି କର୍ମଚାରୀମାନେ ନିଜର ନ୍ଯାର୍ଯ୍ଯ ଅଧିକାରରୁ ବଞ୍ଚିତ ହୋଇଥିବାରୁ ଏବଂ ଭବିଷ୍ଯତରେ ସାରା ଓଡିଶାର ଶିକ୍ଷିତ ଯୁବବର୍ଗ ସରକାରୀ ଚାକିରୀ କ୍ଷେତ୍ରରେ ଆସି ଏପରି ଶୋଷଣର ଶୀକାର ହେବାର ସମ୍ଭାବନା ଥିବାରୁ ଚୁକ୍ତିଭିତ୍ତିକ ମହାସଂଘ ଯୁବବର୍ଗଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଇନର ଆଶ୍ରୟ ନେଇଛନ୍ତି।

ଏହି ମୋକଦ୍ଦମାଟିକୁ ଚୁକ୍ତିଭିତ୍ତିକ ମହାସଂଘ ପକ୍ଷରୁ ଆଡଭୋକେଟ ଶ୍ରୀ ବିଶ୍ବବିହାରି ମହାନ୍ତି ପରିଚାଳନା କରିଥିଲେ। ମୋକଦ୍ଦମା ସହ ରାଜ୍ୟ ସରକାରଙ୍କୁ ସବୁଆଡୁ ଘେରିବାକୁ ସଙ୍ଘ ଏଥର ନିଷ୍ପତ୍ତି ନେଇଛି। ଏଣୁ ଏଥି ସହ ଅନ୍ୟାନ୍ଯ କାର୍ଯ୍ଯକ୍ରମ ମଧ୍ୟ କରାଯିବ ବୋଲି ରାଜ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ ତଥା ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରଜିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ୍ତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଲିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସବିବୃତ୍ତିରେ ଜଣାଇଛନ୍ତି।

Leave a Reply

Your email address will not be published.