ପଞ୍ଚାୟତ ନିର୍ବାଚନ: ଆଜିଠାରୁ ଭୋଟ ଗଣତି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ବାକ୍ସ ଗୁଡ଼ିକ ଆଜିଠାରୁ ପର୍ୟ୍ୟାୟ କ୍ରମେ ଖୋଲିବ । ଗତ ୧୬ ତାରିଖ ଠାରୁ ୫ଟି ପର୍ୟ୍ୟାୟରେ ଆରମ୍ଭ ହୋଇଥିବା ମତଦନା ୨୪ ତାରିଖରେ ଶେଷ ହୋଇଥିବା ବେଳେ ନେତାମାଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ରହିଛି । ଆଜିଠାରୁ ଏହା ଖୋଲିବ । ରାଜ୍ୟର ୨ ଲକ୍ଷ ୨୦ ହଜାର ଦେଇଥିବା ନିଜର ରାୟ ପ୍ରକାଶ ପାଇବା ପରେ ସେମାନଙ୍କର ନେତା କିଏ ହେବେ ତାହା ସ୍ପଷ୍ଟ ହୋଇଯିବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗଣତି ହେବ । ସେହିପରି ୨୭ ତାରିଖରେ ୩୦୭ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ । ମୋଟାମୋଟି ଭାବେ କହିବାକୁ ଗଲେ ୨୯ ତାରିଖ ପୂର୍ବରୁ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା ୨୮ ତାରିଖ ଦିନ ଜଣାପଡ଼ିବ ।

ଜିଲ୍ଲା ପରିଷଦ ଜୋନ ହିସାବରେ ଭୋଟ ଗଣତି ହେବ । ଏହା ପୁଣି ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ଟେବୁଲ ରଖାଯିବ । ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ-ଡି କର୍ମଚାରୀ ଉପସ୍ଥିତ ରହିବେ । ଭୋଟ ଗଣତି ସମୟରେ ପ୍ରତି ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିବେ । ଭୋଟ ଗଣତି କେନ୍ଦ୍ରକୁ କୌଣସି ବୈଦ୍ୟୁତିକ ମାଧ୍ୟମ ତଥା ସାମଗ୍ରୀ ଯଥା ମୋବାଇଲ ଫୋନ୍‌, ସ୍ପାଏ ପେନ୍ ଆଦି ନିଆଯାଇପାରିବ ନାହିଁ । ନିର୍ବାଚନ ଅଧିକାରୀମାନେ ଭୋଟଗଣତି ସଂପର୍କିତ ତଥ୍ୟ ୱେବସାଇଟ୍ ମାଧ୍ୟମରେ ଜଣାଇବେ । ଅନ୍ୟପଟରେ ନିର୍ବାଚନ ଫଳାଫଳ ବାହାରିବା ପାଇଁ ସମୟ ଯେତିକି ପାଖେଇ ଆସୁଛି । ନେତାମାନଙ୍କର ହୃଦସ୍ପନ୍ଦନ ସେତିକି ବଢ଼ିଯାଇଛି । ପୂର୍ବରୁ ମତଦାନ ସରିଲା ପରେ ଫଳାଫଳ ଘୋଷଣା ହୋଇଯାଉଥିଲା । କିନ୍ତୁ ଏଥର ନିୟମରେ ପରିବର୍ତ୍ତନ ଅଣାଯାଇଥିବାରୁ ନେତାମାନଙ୍କର ଉତ୍କଣ୍ଠା ବଢ଼ିଛି ।

Leave a Reply

Your email address will not be published.