ଆଜି ରଥାରୂଢ ରହିବେ ଶ୍ରୀଜିଉ

ପୁରୀ: ଚତୁର୍ଦ୍ଧାମୂର୍ତ୍ତି ଆଜି ଦିନ ସାରା ରଥାରୁଢ଼ ହୋଇରହିବେ । ମହାପ୍ରଭୁଙ୍କ ସକାଳ ନୀତି ରଥ ଉପରେ ହୋଇଛି । ଆଜି ମହାପ୍ରଭୁଙ୍କୁ କେବଳ ଶୁଖିଲା ଭୋଗ ଅର୍ପଣ କରାଯିବ । ସନ୍ଧ୍ୟାରେ ରଥରୁ ଓହ୍ଲାଇ ତିନି ଠାକୁର ଜନ୍ମବେଦୀକୁ ଯିବେ । ସେଠାରେ ଲୀଳାଖେଳା କରିବେ । ଏଥିସହିତ ଭକ୍ତମାନଙ୍କୁ ଆଜିଠାରୁ ଆଡ଼ପ ଅଭଡ଼ା ମିଳିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ଆଡ଼ପ ଅବଢ଼ାର ବିଶେଷତ୍ୱ ରହିଛି । କାରଣ ଏହା ମହାପ୍ରଭୁଙ୍କ ମାଉସୀ ଶ୍ରୀଗୁଣ୍ଡିଚା ପ୍ରସ୍ତୁତ କରିଥାନ୍ତି । ଅନ୍ୟଦୃଷ୍ଟିରେ କହିବାକୁ ଗଲେ ଆଡ଼ପ ଅବଢ଼ା ବର୍ଷକରେ ଥରଟିଏ ମିଳିଥାଏ । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ଥିବା ପର୍ଯ୍ୟନ୍ତ ଏହା ଭକ୍ତକୁ ମିଳିପାରିଥାଏ । ମହାପ୍ରଭୁଙ୍କ ୯ ଦିବସୀୟ ଯାତ୍ରା ଶେଷ ହେବା ପରେ ଭକ୍ତଙ୍କୁ ପୁଣି ବର୍ଷେ ପାଇଁ ଏହା ପାଇବାକୁ ଅପେକ୍ଷା କରିବାକୁ ହୋଇଥାଏ । 

କୋଭିଡ କଟକଣା ମଧ୍ୟରେ ଗତକାଲି ପୁରୀରେ କାଳିଆର ଘୋଷଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଜଗତରନାଥ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯାଇଛନ୍ତି । ଶ୍ରୀଜିଉମାନେ ନିଜ ନିଜ ରଥରେ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲେ । ମନ୍ଦିରର ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିବାରୁ ୩ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା । ସେବାୟତମାନେ ହସଖୁସିରେ ତିନି ରଥକୁ ସିଂହଦ୍ୱାର ଚକଡ଼ା ଠାରୁ ଶରଧାବାଲି ଚକଡ଼ାକୁ ନେଇ ପହଂଚାଇଥିଲେ । 

କୋଭିଡ-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନୀତିରେ ବିଭ୍ରାଟ ଦେଖାଯାଇ ନଥିବା ସୂଚନା ରହିଛି । କେବଳ ଦୁଃଖ ରହିଛି ଯେ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଦେଖିବାକୁ ମିଳିନାହିଁ । କାରଣ ରଥଉପରେ ଯେତେବେଳେ ଘଣ୍ଟ ଓ ଶଙ୍ଖ ବାଜୁଥିବା ବେଳେ ବଡ଼ଦାଣ୍ଡରେ ହରିବୋଲ ଓ ହୁଳହୁଳି ଦେବାକୁ ଭକ୍ତଙ୍କର ଅନୁପସ୍ଥିତି ଖାଁ ଖାଁ ଲାଗୁଥିଲା । 

Leave a Reply

Your email address will not be published.