ଅକ୍ଷି ମୁଠି ଅନୁକୂଳ କଲା ଚାଷୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନରେ ଚାଷୀ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ ।

ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି । ଏହାଛଡ଼ା ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ।  ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।

ଅପରପକ୍ଷେ, ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀମାନେ ରଥ ନିର୍ମାଣରେ ଲାଗିଥାନ୍ତି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚି ସାରିଛି । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ, ରାମ ନବମୀରେ କାଠ ବକଳ ବାହାର କରିବା ପରେ ଆଜି ରଥ ନିର୍ମାଣର ଅନୁକୂଳ କରାଯିବ ।

Leave a Reply

Your email address will not be published.