ଆସନ୍ତା କାଲି ଅକ୍ଷୟତୃତୀୟା

ପୁରୀ: ଆସନ୍ତା କାଲି ଅକ୍ଷୟତୃତୀୟା । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ ହୋଇଛି ।

ଆସନ୍ତା କାଲି ଭୋର ସାଢ଼େ ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆଳତି କରାଯିବ । ଏହାପରେ ମହାପ୍ରଭୁଙ୍କ ମଇଲମ ଓ ତଡ଼ପଲାଗି ନୀତି ସଂପନ୍ନ ହେବ । ସକାଳ ସାଢ଼େ ୫ଟାରେ ଅବକାଶ, ୬ଟାରେ ରୋଷହୋମ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ସକାଳ ସାଢ଼େ ୬ଟାରେ ବେଶ ଶେଷ ହେବ । ସକାଳ ୭ଟାରେ ଗୋପାଳ ବଲ୍ଲଭ, ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ, ସେହିଭଳି ୧୦ଟା ୪୦ରେ ଚନ୍ଦନ ବେଢ଼ା, ସାଢ଼େ ୧୧ଟାରେ ଖଇକୋରା ଭୋଗ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ କରାଯାଇ ମଧ୍ୟାହ୍ନରେ ବେଶ ଶେଷ ହେବ । ଅପରାହ୍ଣ ଗୋଟାଏରୁ ସାଢ଼େ ୨ଟା ମଧ୍ୟରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ କରାଯିବ । ଅପରାହ୍ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା କରାଯାଇ ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ କରିବେ ।

ଏହାପରେ ଅପରାହ୍ଣ ୪ଟାରେ ରଥ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ ପରେ ମହାପ୍ରଭୁଙ୍କ ବିମାନ ଉଠିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧ଟା ୧୦ରୁ ସାଢ଼େ ୪ଟା ମଧ୍ୟରେ ଭୋଗମଣ୍ଡପ ସମୟ ନିର୍ଘଣ୍ଟ ହୋଇଛି । ୫ଟାରୁ ୫ଟା ୪୫ ମିନିଟ୍ ମଧ୍ୟରେ ମଇଲମ ଓ ବେଶ ଅନୁଷ୍ଠିତ ହୋଇ ୬ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ । ପରେ ମଇଲମ, ଆଲଟଲାଗି, ପଣାଭୋଗ କରାଯିବ । ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ । ମଇଲମ ଓ ଚନ୍ଦନଲାଗି ପରେ ରାତି ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ୧୨ଟାରେ ବଡସିଂହାର ଭୋଗ ଏବଂ ରାତି ସାଢ଼େ ୧୨ଟାରେ ପହଡ଼ ନୀତି ଅନୁଷ୍ଠିତ ହେବ ।

ତେବେ କେବଳ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବାହୁଡା ନୀତି ସମୟ ରାତି ୧୦ ଟା ରଖାଯାଇଛି, ଏହା ଛଡା ଅନ୍ୟ ସବୁ ଦିନ ମାନଙ୍କରେ ରାତି ୯ ଟାରୁ ୯.୩୦ ମଧ୍ୟରେ ନରେନ୍ଦ୍ର ପୁଷ୍ପରୀଣିରୁ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ବାହୁଡା ବିଜେ ର ସମୟ ନିର୍ଦ୍ଧାରିତ ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.