ଚିନ୍ତା ବଢ଼ାଇଲାଣି ‘ଓମିକ୍ରନ୍‌’, ଏମ୍ସ ମୁଖ୍ୟ ଦେଲେ ସତର୍କ ସୂଚନା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଚିନ୍ତା ବଢ଼ାଇଲାଣି କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ । ଯାହା ୩୦ ଥର ରୂପ ବଦଳାଉଛି । ଟିକା ସୁରକ୍ଷାରୁ ଏହି ପ୍ରଜାତି ଖସି ଯାଇପାରେ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ଏହାସହ ପ୍ରତି‌ ଲୋକ କରୋନା ନିୟମାବଳିକୁ ସଠିକ ଭାବେ ପାଳନ କରିବା ଉଚିତ । ସମସ୍ତେ ୨ଟି ଯାକ ଡୋଜ ନେବା ଉଚିତ । ଯେଉଁମାନେ ଟିକା ନେଇନାହାନ୍ତି ସେମାନ ତୁରନ୍ତ ଟିକା ନେବା ଉଚିତ ବୋଲି ଗୁଲେରିଆ କହିଛନ୍ତି । ଘାତକ ସ୍ପାଇକ୍‌ ଫ୍ରୋଫାଇଲ ସହ ଠାବ ହୋଇଥିବା ଏହି ପ୍ରଜାତି ଅତ୍ୟନ୍ତ ସଂକ୍ରାମକ ଏବଂ ଡେଲ୍‌ଟାଠାରୁ ମଧ୍ୟ ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା ଏହି ପ୍ରଜାତି ବିଶ୍ୱବ୍ୟାପୀ ଭୟ ବଢ଼ାଇବାରେ ଲାଗିଛି ।

ଏହି ନୂଆ ପ୍ରଜାତି ପାଇଁ ବିଭିନ୍ନ ରାଷ୍ଟ୍ର ଯାତ୍ରା କଟକଣା ଲଗାଇଛନ୍ତି । ଗୁଲେରିଆ କହିଛନ୍ତିଯେ ଉକ୍ତ ପ୍ରଜାତି ବାରମ୍ବାର ରୂପାନ୍ତରଣ ହେଉଥିବାରୁ ଏହା କୋଭିଡ ଟିକା ଫଳପ୍ରଦତାକୁ କମାଇଦେବ । ଏହାଦ୍ୱାରା ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପିବ । ତେଣୁ ଭାରତ ଟିକାର ପ୍ରଭାବକୁ ନୂଆ ପ୍ରଜାତି କ୍ଷେତ୍ରରେ ଭଲ ଭାବେ ଆକଳନ କରିବାକୁ ପଡ଼ିବ । ଉକ୍ତ ନୂଆ ପ୍ରଜାତି ବି.୧.୧.୫୨୯ ଏଯାବତ ଭାରତରେ ଚିହ୍ନଟ ହୋଇନି । ଗତ ନ‌‌ଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଏହି ପ୍ରଜାତି ଚିହ୍ନଟ ହୋଇଥିଲା । ଗତ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପ୍ରଜାତିକୁ ଏକ ‘ଚିନ୍ତାଜନକ ପ୍ରଜାତି’ ବୋଲି କହିଛନ୍ତି ।

Leave a Reply

Your email address will not be published.