ଋଷ ସେନାର ଏୟାର ଷ୍ଟ୍ରାଇକ୍ ଜାରି, ସିନେମା ହଲ୍‌ରେ ଚାପିହୋଇଛନ୍ତି ଶତାଧିକ ଲୋକ

କିଭ୍,  (ନାଗରାଜ ନ୍ୟୁଜ): ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଶନିବାର ୨୪ ଦିନରେ ପହଞ୍ଚିଛି । ଦିନକୁ ଦିନ ଯୁଦ୍ଧର ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଋଷର ସେନା ଲଗାତାର ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି । ଶାନ୍ତି ପାଇଁ ଏହାରି ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବିଦେଶୀ ରାଷ୍ଟ୍ରର ଚାପ ମଧ୍ୟ ପଡ଼ିଛି । କିନ୍ତୁ ଏସବୁ ରୁଷିଆ ଆଗରେ ଫିକା ପଡ଼ି ଯାଇଛି । ୟୁକ୍ରେନ୍‌ର ରାଜଧାନୀ କିଭ୍ ଠାରୁ ପୂର୍ବାଞ୍ଚଳରେ ଥିବା ଖାରକିଭ୍ ପର୍ଯ୍ୟନ୍ତ ଋଷର ସେନା ବୋମାମାଡ଼ ଜାରି ରଖିଛନ୍ତି । ମାରିୟୁପୋଲ ଓ ସୁମିରେ ମଧ୍ୟ ବୋମାର ଶବ୍ଦ କମି ନାହିଁ । ଅପରପକ୍ଷେ ଯୁଦ୍ଧ ଜାରି ଥିବା ବେଳେ ମାରିୟୁପୋଲରୁ ୪୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୧୧୨୪ ଜଣ ଶିଶୁ ଅଛନ୍ତି । ସୁମୀ ଅଞ୍ଚଳରୁ ୪୧୭୩ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଆଜି ଋଷର ସେନା ମାରିୟୁପୋଲର କେନ୍ଦ୍ରସ୍ଥଳୀରେ ଥିବା ଏକ ସିନେମା ହଲରେ ଆକାଶମାର୍ଗରୁ ଆକ୍ରମଣ କରିଛି । ଏହି ସିନେମା ହଲରେ ଶତାଧିକ ଲୋକ ଆଶ୍ରୟ ନେଇଥିଲେ । ଆକ୍ରମଣ ପରେ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ, ଶତାଧିକ ଲୋକ ଏବେ ବି ଥିଏଟର ଭିତରେ ଚାପି ହୋଇଯାଇଛନ୍ତି । ଆମେରିକା ପ୍ରତିରକ୍ଷା ସଚିବ ଲର୍ଡ ଅଷ୍ଟିନଙ୍କ କହିବା ଅନୁସାରେ ୟୁକ୍ରେନ୍ ଉପରେ ଆକ୍ରମଣ ସମୟରେ ଋଷ ଗୁରୁତର ରଣନୀତିକ ଭୁଲ କରିଛି । ଋଷର ଲଜିଷ୍ଟିକ ସମସ୍ୟା ରହିଛି । ପୁତିନଙ୍କ ନିକଟରେ ସାମରିକ ବୁଦ୍ଧିମତ୍ତାର ଅଭାବ ରହିଛି ।

Leave a Reply

Your email address will not be published.