ନୂଆ ମୋଡ ନେଉଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ସନ୍ଦେହ ଘେରରେ ଥିବା ଚେହେରାଙ୍କୁ ହୋଇପାରେ ଜେରା

ଗଜପତି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ନୂଆ ମୋଡ ନେବାରେ ଲାଗିଛି । ଏବେବି ସନ୍ଦେହ ଘେରରେ ଥିବା ଚେହେରା ସନ୍ଦେହ ଘେରରେହି ରହିଛନ୍ତି । ଏହି ମୃତ୍ୟୁ ମାମଲା ପଛରେ ଥିବା ରହସ୍ୟକୁ ଖୋଜି ପାଇନି ପାରଳାଖେମୁଣ୍ଡି ପୋଲିସ୍ । ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ହେଲେ ଏହି ଅଡୁଆ ସୁତାକୁ ସଜାଡି ପାରିନି ପୋଲିସ ।

ଅନ୍ୟପଟେ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ୍ ଜେରା କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଏବେ କ୍ରାଇମବ୍ରାଞ୍ଚ ଟାର୍ଗଟରେ ଡିଏଫଓ ସଂଗ୍ରାମ ବେହେରା । ଅତି ରହସ୍ୟ ଜନକ ଭାବରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଛି ବୋଲି ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ।

ତେବେ ମାତ୍ର ୬ ମାସ ତଳେ ଉଭୟଙ୍କ ବାହାଘର ହୋଇଥିବା ବେଳେ ଦୁହିଁଙ୍କ ଭିତରେ ପରକୀୟା ପ୍ରୀତିକୁ ନେଇ ପ୍ରାୟ ସମୟ ଝଗଡା ଲାଗିରହୁଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆଉ ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଛନ୍ଦି ହୋଇପଡିଛନ୍ତି, ସେ ହେଉଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ଯିଏକି ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସୌମ୍ୟଙ୍କୁ ନିଆଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକାଇଥିଲେ । 

ତେବେ କେଉଁ କାରଣରୁ ଓଆଇସି ମାଡାମ୍ ଏତେ ସମୟ ଧରି ଆମ୍ବୁଲାନ୍ସ ଅଟକାଇଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ଆଜି ତାଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଓଆଇସି ମମତା ପଣ୍ଡା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପକୀୟ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.