ବଢିଲା ଇ-ରୁପି ସୀମା, ଏକରୁ ଅଧିକ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଇ-ଆରପିଆଇ ପ୍ରିପେଡ୍ ଡିଜିଟାଲ୍ ଭାଉଚରର ସୀମାକୁ ୧୦,୦୦୦ ରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଏକକାଳୀନ, ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ଡିଜିଟାଲ୍ ବିତରଣକୁ ସୁଗମ କରିବା ପାଇଁ ଏକାଧିକ ପ୍ରବେଶ ଅନୁମତି ଦିଆଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ବୈଠକ ପରେ କହିଛନ୍ତି, ଇ-ରୁପିକୁ ଅନେକଗୁଡ଼ିକ ଉପଯୋଗ ଲାଗି ମଧ୍ୟ ମଞ୍ଜୁରି ମିଳିଛି । ଇ-ରୁପି ପାଇଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ରହିବା ଆବଶ୍ୟକ ନାହିଁ । ଇ-ରୁପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ଅଗଷ୍ଟ ୨ରେ ଶୁଭାରମ୍ଭ କରିଥିଲେ । ଏହା ଏକ ଇଲେକ୍ଟ୍ରୋନିକ୍‌ ଭାଉଚର ଉପରେ ଆଧାରିତ ଡିଜିଟାଲ ପେମେଣ୍ଟ ସିଷ୍ଟମ । ଡିଜିଟାଲ କରେନ୍ସି ରୂପେ ଭାରତର ଏହା ପ୍ରଥମ ପଦକ୍ଷେପ ଥିଲା । ଏହା ଜରିଆରେ ଉପଭୋକ୍ତା ଏସ୍‌ଏମ୍‌ଏସ୍‌ କିମ୍ବା ଏକ କ୍ୟୁଆର୍‌ କୋଡ୍‌ ଜରିଆରେ ଟଙ୍କା ନେଇପାରିବେ । ଏହା ଏକ ଗିଫ୍ଟ ଭାଉଚର ଭଳି । ଏହାର ଉଦ୍ଦେଶ୍ୟ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା । ଏହା ଜରିଆରେ କ୍ୟାସ୍‌ଲେସ ଏବଂ କଣ୍ଟାକ୍ଟଲେସ୍‌ ପେମେଣ୍ଟ ହୋଇପାରିବ ।

ସରକାରଙ୍କ ଅନୁସାରେ ଏହା ଜରିଆରେ ଯୋଜନାଗୁଡିକର ଲାଭ ତୃଣମୂଳ ସ୍ତରରେ ପହଞ୍ଚାଯାଇପାରିବ । ଇ-ରୁପି ଏକ ପ୍ରିପେଡ୍‌ ଇ-ଭାଉଚର, ଯାହାକୁ ନ୍ୟାସ୍‌ନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଏନ୍‌ପିସିଆଇ ବିକଶିତ କରିଛି । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଯେଉଁ କାର୍ଯ୍ୟ ପାଇଁ ଅର୍ଥରାଶି ଦିଆଯିବ, ଉକ୍ତ କାର୍ୟ୍ୟ ପାଇଁ ହିଁ ତାହାର ବ୍ୟବହାର ହେବ । ଅର୍ଥାତ୍‌ ସରକାର ଯଦି ପାଠପଢ଼ା ପାଇଁ ଏହା ଜରିଆରେ ଟଙ୍କା ଦେଉଛନ୍ତି ଏହାକୁ ଲୋକେ ସିଧା ସ୍କୁଲ ଏବଂ କଲେଜ ଯାଇ ଏହା ଜରିଆରେ ପେମେଣ୍ଟ କରିପାରିବେ ।

Leave a Reply

Your email address will not be published.