ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ଅଧ୍ୟକ୍ଷତା କରିଥିଲେ । ଚଳିତ ରବି ଋତୁ ନିମନ୍ତେ ଏପର୍ଯ୍ୟନ୍ତ ୧୪୭୧୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୨୦ ଜଣ ନୂତନ ଭାବେ ଏବଂ ୮୨୯୭ ଜଣ ନବୀକରଣ ନିମନ୍ତେ ପଞ୍ଜିକୃତ ହୋଇଛନ୍ତି । ପଞ୍ଜିକରଣ ପ୍ରକ୍ରିୟା ଆହୁରି ଦୁଇଦିନ ବାକି ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି । ଗତବର୍ଷ ୧୨୮୬୦ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଚାଷୀ ମାନଙ୍କ ଠାରୁ ଧାନ କିଣିବା ନିମନ୍ତେ ୧୦୧ଟି ପ୍ରାଥମିକ ସେବା ସମବାୟ ସମିତି ଓ ୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ । ଗତବର୍ଷ ୩୫୫୫୬ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ଋତୁରେ ଅଧିକ ସଂଗ୍ରହ ଲକ୍ଷ ରଖାଯାଇଛି । କେବଳ ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଆସନ୍ତା ମାସ ୯ ତାରିଖରୁ ବ୍ରହ୍ମଗିରି ଓ କଣାସ ବ୍ଲକ ଏବଂ ୧୬ ତାରିଖରୁ ଅନ୍ୟ ବ୍ଲକ ଗୁଡିକରୁ ଧାନ ସଂଗ୍ରହ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏଫ୍.ଏ.କ୍ୟୁ. ତଥା ବିକ୍ରୟ ଯୋଗ୍ୟ ଧାନ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ଏବଂ ଗ୍ରେଡ ‘ଏ’ ଧାନ କ୍ବିଣ୍ଟାଲ ପିଛା ୧୯୬୦ ଟଙ୍କା ଭାବେ ସଂଗ୍ରହ କରାଯିବ । ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ସୋସାଇଟ ଏବଂ ନିୟନ୍ତ୍ରିତ ବଜାର କମିଟିକୁ ଦାୟିତ୍ବ ଦିଆଯିବା ସହ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ପରାମର୍ଶ ଦେଇଛନ୍ତି । ସେହିଭଳି ଅଦିନିଆ ବର୍ଷାରୁ ରକ୍ଷା ପାଇବା ପାଇଁ ପଲିଥିନ ବ୍ୟବସ୍ଥା ନିମନ୍ତେ ଉପ ଜିଲ୍ଲାପାଳ ଶ୍ରୀ ଭବତରଣ ସାହୁ କହିଛନ୍ତି । ଧାନ ସଂଗ୍ରହରେ କୌଣସି ସମସ୍ୟା ଥିଲେ ଚାଷୀ ମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରୁ ଟୋଲ ଫ୍ରି ନଂ ୧୯୬୭ ସହ ଯୋଗାଯୋଗ କରିପାରିବେ ।

 

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣି ସ୍ବାଇଁ, ବିଧାୟକ ମାନଙ୍କ ପ୍ରତିନିଧି, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ କୁମାର ହୋତା, ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ, ମିଲର, ଚାଷୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.