ବାର୍ଷିକ ସାଂସ୍କୃତିକ ଉତ୍ସବ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଠାରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ କକ୍ଷ ମଧ୍ୟରେ ତା ୧୪/୧୨/୨୨ ରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିମୁଳିଆ ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ, ଓଷ୍ଟା ସମ୍ପାଦକ ପ୍ରସନ୍ନ କୁମାର ଧଳ, ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଗୋକୁଳାନନ୍ଦ ମିଶ୍ର, ଏସ ଏମ ସି ସଭାପତି ନୃସିଂହ ଚରଣ ବେହେରା ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଞ୍ଚାସୀନ ହୋଇଥିଲେ । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଅତିଥି ପରିଚୟ ଓ ମଞ୍ଚ ଆହ୍ୱାନ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ଏସ ଏମ ସି ସଭାପତି, ସଦସ୍ୟ, ସଦସ୍ୟା ଓ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷାକର୍ମଚାରୀ ମାନେ ମଧ୍ୟ ଅଭିଭାଷଣ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମାନପତ୍ର ପାଠ କରିଥିଲେ ଶିକ୍ଷୟିତ୍ରୀ ସୁଚିସ୍ମିତା ବେହେରା । ଏହି ପରିପ୍ରେକ୍ଷୀରେ ଅତିଥି ମାନେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ମୁଖ୍ୟ ଅତିଥି ଯିଏକି ବିଦ୍ୟାଳୟର ପୁରାତନ ଛାତ୍ର, ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପାଣିଗ୍ରାହୀ ଶିକ୍ଷା, ସଂସ୍କୃତି ଓ ସଂସ୍କାର ସମ୍ବନ୍ଧରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ବାସ୍ତବରେ ତାହା ଅତ୍ୟନ୍ତ ଶିକ୍ଷଣୀୟ ଓ ଉପଦେଶାତ୍ମକ ଥିଲା । ସବୁଠାରୁ ବଡ଼ ଆନନ୍ଦର କଥା ଥିଲା- ବିଧାୟକ ପିଲାମାନଙ୍କ ଗହଣରେ ବସି ଶିକ୍ଷା, ସଂସ୍କୃତି, ସଂସ୍କାର, ସୁଖଦୁଃଖ ଓ ସମସ୍ୟାକୁ ନେଇ କିଛି ସମୟ ଆଳାପ ଆଲୋଚନାରେ ସମୟ ଅତିବାହିତ କରିଥିଲେ । ଯାହା ଉତ୍ସବ ପରିବେଶକୁ ଆନନ୍ଦ ମୁଖରିତ କରିଥିଲା । ଏଥିସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ଯାହା ସମ୍ଭବ ତାହା ଯୋଗାଇ ଦେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ ।

ମଧ୍ଯାହ୍ନ ଭୋଜନ ପରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ଓ ଶିକ୍ଷୟିତ୍ରୀ କାଞ୍ଚନ ମଲ୍ଲିକଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ । ଏହି ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଅଭିଭାବକ ଓ ଅଭିଭାବିକା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.