ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୩ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଦିବା ୦୮ ଘଟିକା ସମୟରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ବରିଷ୍ଠ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ, ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ।ପ୍ରାରମ୍ଭରେ ସମସ୍ତ ଛାତ୍ରୀ -ଛାତ୍ର ମାନଙ୍କୁ ବିଦ୍ୟାଳୟରେ ନୂତନ ଭାବେ ପ୍ରଥମେ ପ୍ରବେଶ କରିବା ସମୟରେ ପ୍ରାକ୍ତନ ଛାତ୍ରୀ -ଛାତ୍ର, ଶିକ୍ଷୟିତ୍ରୀ- ଶିକ୍ଷକ,ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା- ସଦସ୍ୟ ମାନଙ୍କ ଉପସ୍ଥିତିରେ ପୁଷ୍ପ ଚନ୍ଦନ ଓ ଚକୋଲେଟ୍ ଅର୍ପଣ କରି ସ୍ଵାଗତ କରାଯାଇଥିଲା ।ସଂଯୋଜକ ତଥା ସଭାପତି ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ -୨୦୨୩ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ସ୍ୱରଚିତ ସ୍ଳୋଗାନ ଦେଇ ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରି ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା କ୍ଷେତ୍ରରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ,ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ, ଜୋତା, ମୋଜା ,ବାଇ ସାଇକେଲ ହାସଲ, ପଠାଣି ସାମନ୍ତ ମେଧାବୃତ୍ତି, ଜାତୀୟ ମେଧାବୃତ୍ତି, ଏନ୍. ଏମ. ଏମ. ଏସ ମେଧାବୃତ୍ତି,ସମର ଶିକ୍ଷାର୍ଥୀ (ଜଳ,ସ୍ଥଳ,ଆକାଶ,ବାଳିକା)ବିଭାଗ, ଷ୍ଟୁଡେଣ୍ଟ୍ ପୋଲିସ୍ କ୍ୟାଡେଟ, ସ୍କାଉଟ,ଗାଇଡ, ରେଡକ୍ରସ୍, ଗ୍ରୀନ ଆର୍ମି (ସବୁଜ ବାହିନୀ) ତଥା ବିଭିନ୍ନ କଳା, ସଂସ୍କୃତି,ବିଜ୍ଞାନ, କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ କରିପାରିବେ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଆମ ସ୍କୁଲ୍ ରେ ଚଳିତ ବର୍ଷ ଏକ ସପ୍ତାହ ମଧ୍ୟରେ ଶତାଧିକ ନୂତନ ଛାତ୍ରୀ ଛାତ୍ର ମାନଙ୍କର ନାମଲେଖା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି
ସ୍ଵୀୟ ବକ୍ତବ୍ୟରେ ମତପ୍ରକାଶ କରି କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା ,ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ। କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଇ – ଲାଇବ୍ରେରୀ,ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା,କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍), ବିଜ୍ଞାନ ଷ୍ଟୋର,ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ, ଆଇ.ସି.ଟି. ଲ୍ୟାବର ସୁବିଧା ସେମାନଙ୍କୁ ମିଳିପାରିଛି।

ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି। ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଉଭା ହୋଇଛି। ପ୍ରାତଃ ୦୭ ଘଟିକା ସମୟରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ମାନେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ -୨୦୨୩ ପାଳନ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଭାତ ଫେରି ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ସହର ପରିକ୍ରମାରେ ସଫଳ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ଅବସ୍ଥାପିତ ପଞ୍ଚସଖା,ବ୍ରଜନାଥ ବଡ଼ଜେନା, ନୃସିଂହ କାନୁନଗୋ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଗଣେଶ, ସରସ୍ୱତୀ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ,ଧୂପ ଦୀପ ଅର୍ପଣ କରାଯାଇ ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.