୨୦୨୨-୨୩ ରବି ଋତୁ ନିମନ୍ତେ ଜିଲ୍ଳା ଧାନ ସଂଗ୍ରହ କମିଟି ବୈଠକ

ପୁରୀ,(ନାଗରାଜ ନ୍ୟୁଜ): ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।୨୦୨୨-୨୩ ରବି ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା ମେ ୨ ତାରିଖରୁ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ କଣାସ ବ୍ଲକରେ ଏହି ଧାନ ସଂଗହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।ଅନ୍ୟାନ୍ୟ ବ୍ଲକ୍ ନିମନ୍ତେ ସଂମ୍ଭାବିତ ଅମଳ ସମୟକୁ ବିଚାର କରି ଭିନ୍ନ ଭିନ୍ନ ଦିବସ ଧାର୍ଯ୍ୟ କରାଯାଇଥିଲା।ଏହି ବୈଠକରେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣୀ ସ୍ୱାଇଁ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରୟ ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଓ ସଠିକ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପାଆନ୍ତି ସେଥିପ୍ରତି ଯତ୍ନବାନ୍ ହେବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ ବ୍ୟବସ୍ଥାକୁ ସରକାରୀ ନିୟମ ଅନୁସାରେ ପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା ସମସ୍ତଙ୍କୁ ସ୍ୱାଗତ ସହ ଆଲୋଚନା କରିଥିଲେ।
୨୦୨୨-୨୩ ଖରିଫ୍ ଋତୁରେ ୩୭୪୬୦ ଜଣ ଚାଷୀଙ୍କଠାରୁ ୧୨,୯୬,୪୪୯.୩୬ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇ ଥିବା ସେ ସୂଚନା ଦେଇଥିଲେ।ବିଗତ ୨0୨୧-୨୨ ରବି ଋତୁରେ ୧୭୪୮୧ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ୨୦୨୨-୨୩ ରବି ଋତୁରେ ୨୨୭୦୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ।ରବି ଋତୁରେ ୧୧୩ଟି ସୋସାଇଟି ଓ ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ପଞ୍ଜିକରଣ ନିମନ୍ତେ ନିୟୋଜିତ ହୋଇଥିଲେ ।ସହକାରୀ ନିବନ୍ଧକ,ସମବାୟ ସମିତି,ପୁରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ସୋସାଇଟି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗହ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ।ଚାଷୀ ମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣିର ବ୍ୟବସ୍ଥା, ନିର୍ଦ୍ଧାରିତ ଦିନରେ ମିଲର ମାନଙ୍କ ଦ୍ୱାରା ଧାନ ଉଠାଣ ନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଧାନ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟରେ ଏହି ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଆଉ ଏକ ବୈଠକ କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହାକୁ ବିଚାର କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର,ଅତିରିକ୍ତ ଏସ୍ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା, ଡିଆରସିଏସ ଶ୍ରୀ ରୁଦ୍ର ପ୍ରସାଦ ଦାସ,ଏ ଆର ସି ଏସ ଶ୍ରୀ ସ୍ୱରୂପ କର, ବିଧାୟକମାନଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଆର ଏମ ସି,ସାକ୍ଷୀଗୋପାଳ ଓ ନିମାପଡାର ସମ୍ପାଦକ, ମିଲର, ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published.