ତ୍ରିଶୂଳିଆରୁ ବ୍ୟାଙ୍କ ଲୁଟ ପଣ୍ଡ

ବାରଙ୍ଗ,(ନାଗରାଜ ନ୍ୟୁଜ): ବାଙ୍କୀ ରାସ୍ତାର ଫକୀରପଡ଼ା ନିକଟ ଥିବା ଆଇସି ଆଇସି ଆଇ ବ୍ୟାଙ୍କର ତ୍ରିଶୂଳିଆ ଶାଖାରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ପୂର୍ବାହ୍ନ ଦଶଟାରେ ବ୍ୟାଙ୍କର କର୍ମଚାରୀମାନେ ଆସି ନିଜ ନିଜ ଚ୍ୟାରରେ ବସୁଥିଲେ। ପିଅନ ପୋଛା ପୋଛି କରୁଥିଲା। ଏତିକି ବେଳେ ତିନି ଜଣ ଲୁଟେରା ମୁଣ୍ଡରେ ହେଲମେଟ ପିନ୍ଧି କଳା ରଙ୍ଗର ପଲସର ବାଇକରେ ଆସିଥିଲେ। ବ୍ୟାଙ୍କ ଆଗ ରାସ୍ତା ଉପରେ ବାଇକ ରଖିବା ପରେ ମୁଣ୍ଡରୁ ହେଲମେଟ ନକାଢି ଭଦ୍ର ଲୋକ ଭଳି କାଚ ପ୍ରବେଶ ଫାଟକ ଖୋଲି ଭିତରକୁ ପସିଥିଲେ । ପୋଛା ପୋଛି କରୁଥିବା ପିଅନ ଜଣକ ଲୁଟେରାଙ୍କ ଆଡକୁ ଚାହିଁବା କ୍ଷଣି ଆକାଶିଆ ରଙ୍ଗର ପୂରା ସାର୍ଟ ପିନ୍ଧିଥିବା ଜଣେ ଲୁଟେରା ଛୁରୀ ଦେଖାଇ ସାଇଡ ହେବାକୁ କହିଥିଲା। ଅନ୍ୟ ଜଣେ ପିଠିରେ ବ୍ୟାଗ ପକାଇ ଜଗି ରହିଥିଲା। ପରେ ହଳଦୀଆ ରଙ୍ଗର ପୁରା ସର୍ଟ ପିନ୍ଧିଥିବା ଜଣେ ଲୁଟେରା ପକେଟ ଭିତରେ ରଖିଥିବା ବନ୍ଧୁକ କାଢି ଦେଖାଇଥିଲା । ଚୁପଚାପ ଠିଆ ହେବାକୁ କହି ଧମକ ଦେଇଥିଲା, ପାଖରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଲୁଟରାଙ୍କ ଆଡକୁ ଚାହିଁବାରୁ ସେମାନଙ୍କୁ ଧମକ ଦେଇ କହିଥିଲେ। ସମସ୍ତେ ହାତ ଉପରକୁ ଟେକି ଭିତରକୁ ଚାଲ ବୋଲି କହିଥିଲା । ଭୟରେ ସେମାନେ ହାତ ଟେକି ପଛକୁ ଯାଉଥିଲେ। ଏତିକି ବେଳେ ସାଇରନ ବାଜିବା ଜାଣି ଲୁଟେରା ମାନଙ୍କ ବୁଦ୍ଧି ହଜିଯାଇଥିଲା। ଜଣେ ଲୁଟେରା କହିଥିଲା ଧରାପଡିଯିବା। ସଙ୍ଗେସଙ୍ଗେ ଲୁଟେରା ତିନି ଜଣ ଯାକ କବାଟ ଖୋଲି ପଦାକୁ ଦୌଡି ପଳାଇଥିଲେ। କର୍ମଚାରୀମାନେ ପାଟିକରି ସେମାନଙ୍କ ପଛରେ ଗୋଡାଇବାରୁ ବାଇକରେ ବସି ଦୃତଗତିରେ ଶଣ୍ଢପୁର ସ୍ଵାସ୍ଥ୍ୟକେନ୍ଦ୍ର ଛକ ଆଡକୁ ଫେରାର ହୋଇଯାଇଥିଲେ। ଏ ସମସ୍ତ ଘଟଣା ମାତ୍ର ୧ ମିନିଟ ଭିତରେ ଘଟିଯାଇଥିଲା। ଘଟଣାରୁ ଜଣା ପଡୁଛି ଲୁଟେରା ମାନଙ୍କର ପ୍ରଥମ ଉଦ୍ୟମ ହୋଇଥିବାରୁ ସେମାନଙ୍କ ଯୋଜନା ଫେଲ ହୋଇଛି। ସୂଚନା ପାଇ ବାରଙ୍ଗ ଥାନା ପୁଲିସ ବ୍ୟାଙ୍କକୁ ଯାଇ ସିସିଟିଭି ଚିତ୍ରରୁ ଲୁଟେରା ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଗାଡି ନମ୍ବରରୁ ଧରିବା ଲାଗି ଯାଞ୍ଚ କରିଛି। କଳା ପଲସର ଗଡିରେ ହେଲମେଟ ଧରି ବା ପିନ୍ଧି ତିନି ଜଣ ଯୁବକ କିଏ ସେ କେଉଁ କେଉଁ ରାସ୍ତାରେ ଯାତାୟତ କରିଛନ୍ତି ବାଟସାରା ଯେତେ ସିସିଟିଭି କ୍ୟାମେରା ଲାଗିଛି ସେ ସବୁକୁ ପୁଲିସ ଯାଞ୍ଚ କରୁଛି। ଅନ୍ୟ କେଉଁଠୁ ଯେଭଳି ଏମାନେ ଲୁଟ ନ କରନ୍ତି ସଙ୍ଗଠିତ ହେଉଥିବା ଗ୍ୟାଙ୍ଗର ପରଦା ଫାସ କରିବାକୁ ପୁଲିସ ସବୁ ଦିଗରୁ ଉଦ୍ୟମ ଚଳାଇଛି।ତ୍ରିଶୂଳିଆ ଛକ ଠାରୁ ଗୋଡିସାହି ପର୍ଯ୍ୟନ୍ତ ଜନବସ ଗଢି ଉଠିବା ସହିତ,ଶିକ୍ଷାନୁଷ୍ଠାନ,ଶୀଳ୍ପ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗଢି ଉଠିବା ସହିତ ଦୃତ ବିକାଶ ଘଟୁଛି। ହେଲେ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡିରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ସଂଖ୍ୟା ପର୍ଯ୍ୟାପ୍ତ ହେଉ ନାହିଁ। ବିଶେଷ କରି ତ୍ରିଶୂଳିଆ ଛକ ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାରେ ଢିଲା ରହୁଛି। ଯାହାର ଫାଇଦା ଉଠାଇ ଅପରାଧ ଘଟାଇ ପାରୁଛନ୍ତି ଲୁଟେରା ଓ ଅପରାଧିମାନେ । ତ୍ରିଶୂଳିଆ ଛକ ଅଞ୍ଚଳ ଅପରାଧ ପ୍ରବଣ ହୋଇଥିବା ଖୋଦ ସରକାର ଉପଲବ୍ଧି କରି ବର୍ଷେ ହେବ ତ୍ରିଶୂଳିଥା ଛକରେ ସ୍ଵତନ୍ତ୍ର କପୁଲିସ ଫାଣ୍ଡି ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ହେଲେ ଏ ଯାବତ ଫାଣ୍ଡି ପ୍ରତିଷ୍ଠା କରାନଯାଇ କେବଳ ଘୋଷଣାରେ ଅଟକିଛି। ତ୍ରିଶୂଳିଆ ଛକ ଓ ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ଲାଗି ସରକାର ଯଥା ଶିଘ୍ର ଅତିରିକ୍ତ ପୁଲିସ କର୍ମଚାରୀ ନିଯୁକ୍ତି ସହିତ ଥାନା କିମ୍ବା ଫାଣ୍ଡି ପ୍ରତିଷ୍ଠା କରିବା ଜରୁରୀ ହୋଇ ପଡିଛି।

Leave a Reply

Your email address will not be published.