ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା,୧୫ଦିନ ପୂର୍ବେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ 

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଗତ୨୫ତାରିଖ ଦିନ ରାଜଗାଙ୍ଗପୁର ନିକଟସ୍ଥ ରାମଲତାଖଣି ନିକଟରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ପଡିଥିବାର ଖବର ରାଜଗାଙ୍ଗପୁର ପୋଲିସକୁ ମିଳିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣି,ଘଟଣାର ଟିକିନିଖି ତଦନ୍ତ କରିଥିଲେ । ପରେ ମୃତ ବ୍ୟକ୍ତି ଜଣକ ବ୍ରହ୍ମପୁରର ଗୋପାଳ କୃଷ୍ଣ ମହାକୁଡ଼ । ସେ ବହୁଦିନରୁ ରାଉରକେଲା କୋଏଲନଗରପାଖରେ ରହି ଆସିଥିଲେ । ସେ ଜଣେ ପେଶାଦାର ଅପରାଧୀ ମଧ୍ୟ ଥିଲା । ଗତ ମାସରେ ସେ ବେଲରେ ଆସିଥିଲା । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଗୋପାଳ କୃଷ୍ଣ ଠାରୁ ଧାରସୂତ୍ରରେ ଟଙ୍କା ନେଇ ଶୂଝି ପାରୁନଥିଲା । ଏହି କାରଣରୁ ଗତ ୨୬ତାରିଖ ଦିନ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ତା’ର ଦୁଇ ଜଣ ସହଯୋଗୀଙ୍କ ସାଙ୍ଗରେ ମିଶି ଗୋପାଳକୁ ଟଙ୍କା ଫେରସ୍ତ କରିବାକୁ କହି ଏକ ଧଳା ଇଣ୍ଡିଗୋ କାର୍ ରେ ରାଜଗାଙ୍ଗପୁର ନିକଟସ୍ଥ ରାମଲତାଖଣି ନିକଟକୁ ଆଣିଥିଲେ । ପରେ ଅଭିଯୁକ୍ତମାନେ ସାଙ୍ଗରେ ଆଣିଥିବା ଲୁହାରଡରେ ଗୋପାଳକୁ ମାରି ସେହି ଖଣି ପାଖରେ ଫିଙ୍ଗି ଫେରାର ହୋଇଯାଇଥିଲେ । ଆଜି ରାଜଗାଙ୍ଗପୁର ପୋଲିସ ରାଉରକେଲାରୁ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ସହିତ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ରାଉରକେଲା ବାଳସୁଧାରଗୃହ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.