ବିଶ୍ୱାବସୁଗଡ଼ ଶବରପଲ୍ଲୀରେ ବିଶ୍ୱାବସୁଙ୍କ ଧନୁପୂଜା ମହୋତ୍ସବ

ନୟାଗଡ଼, (ନାଗରାଜ ନ୍ୟୁଜ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବିଶ୍ୱାବସୁଙ୍କ କର୍ମସ୍ଥଳୀ ଶବରପଲ୍ଲୀରେ ଭଗବାନ ନୀଳମାଧବଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଧନୁ ପୂଜନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱାବସୁ ଶବର ସମାଜର ପୁରୋଧା ନୀଳମାଧବଙ୍କ ଚଳନ୍ତିପ୍ରତିମା ଶବର କୁଳଶିରୋମଣି ଶ୍ରୀ ଶ୍ରୀ ଟିକି ବାବା ବିଶ୍ୱାବସୁଙ୍କ ପବିତ୍ର ଧନୁ ପୂଜା ମହୋତ୍ସବ ଉଦଘାଟନ କରିଥିଲେ । ଶବରମାନଙ୍କ ଧର୍ମ ପୀଠ ବିଶ୍ୱବସୁଗାଡ଼ରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ଢେଙ୍କାନାଳ, ଗଜପତି, ପୁରୀ, ନୟାଗଡ, କଟକ, ଗଞ୍ଜାମ, ବୌଦ୍ଧ, ବରଗଡ଼ ଓ ଫୁଲବାଣୀରୁ ଶବର, ସହରା ଓ ସଓରା ସମ୍ପ୍ରଦାୟର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ସମାଜର ମୁଖିଆ ମହୋତ୍ସବରେ ଯୋଗଦେଇଥିଲେ । ଐତିହାସିକ ବିଶ୍ୱାବସୁଙ୍କ ପୁଣ୍ୟ ପବିତ୍ର ଧାର୍ମିକ ପୀଠରେ ବିଶ୍ୱାବସୁ ଧନୁ, ନୀଳମାଧବ, ଶବରୀନାରାୟଣ, ବିଶ୍ୱାବସୁ, ସାତ ବହନୀ ଓ ଲଳିତା ଦେବୀଙ୍କ ପାରମ୍ପରିକ ରୀତିନୀତିରେ ପୂଜାପାଠ ଭଜନ ହୋଇଥିଲା । ପରେ ଧନୁ ପୂଜା ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା ।

ସଭାରେ ନୀଳମାଧବଙ୍କ ଚଳନ୍ତି ପ୍ରତିମା ଶବରକୂଳ ଶିରୋମଣୀ ବିଶ୍ୱାବସୁ ଶବର ବଂଶଜ ପରମପୁଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ନାୟକ, ସତ୍ୟନାରାୟଣ ଭୋଇ, ବାଳକୃଷ୍ଣ ଶବର, ରାମ ଶବର, ଶରତ ନାଏକ, ଲଷ୍ମୀଧର ବେହେରା, ମୁରଲୀ ନାଏକ, ବିଦ୍ୟାଧର ବେହେରା, ସାରଥୀ ବାଗ, ବନୁ ବାବା ଓ ତୋଫାନ ନାଏକ ପ୍ରମୁଖ ମଞ୍ଚସିନ ଥିଲେ । ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ । ସଭାରେ ଐତିହାସିକ ଧର୍ମପୀଠ ବିଶ୍ୱାବସୁଗଡ଼ ଶବର ପଲ୍ଲୀରେ ବିଶ୍ୱାବସୁ ଶବରଙ୍କ ମନ୍ଦିର, ନୀଳମାଧବ ମନ୍ଦିର, ଶବରୀନାରାୟଣ ମନ୍ଦିର, ଲଳିତାଦେବୀ ମନ୍ଦିର, ଧାଁଙ୍ଗୀଡି ଦେବୀ ଶବରୀ ମନ୍ଦିର, ଧନୁ ମନ୍ଦିର, ସତବହନୀ ମନ୍ଦିର ନିର୍ମାଣ, ବିଶ୍ୱାବସୁଙ୍କ କର୍ମପୀଠର ସୁରକ୍ଷା, ଆଦ୍ୟ ଶବର ସଂସ୍କୃତିର ପୁନଃଉଦ୍ଧାର, ଶବର ମାନଙ୍କ ଧର୍ମ ପୀଠ ବିଶ୍ୱାବସୁ ଗଡ଼କୁ ବିଶ୍ୱ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା, ସମୃଦ୍ଧିଶାଳୀ ଶବର ସଂସ୍କୃତି ପୁଣ୍ୟ ଧାମରେ ତୀର୍ଥଯାତ୍ରୀ ଭକ୍ତମାନଙ୍କ ପାଇଁ ଧର୍ମଶାଳା, ପାନ୍ଥ ନିବାସ, ଅତିଥି ଭବନ ନିର୍ମାଣ, ପାର୍କ ନିର୍ମାଣ, ପନ୍ଦର ଲକ୍ଷ ଶବର ଆଦିବାସୀଙ୍କ ଧାର୍ମିକ ଭାବନା ଧର୍ମ ବିଶ୍ୱାସ ସହିତ ଜଡିତ ଧର୍ମପୀଠର ସୌନ୍ଦର୍ୟ୍ୟକରଣ କରିବା ପାଇଁ ଓଡିଶା ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା । ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave a Reply

Your email address will not be published.