ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ଗୁରୁତ୍ୱ ଦେବାକୁ କହିଲେ ବ୍ଲକ ଅଧ୍ଯକ୍ଷା

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ୩ ଜଣ ଏବିଇଓ ଓ ବିଆରଟି ମନୋଜ ମହାପାତ୍ରଙ୍କ ସହଯୋଗରେ ବିଇଓ ଗୋଲୋକ ବିହାରୀ ପାଢ଼ୀ ପତାକା ଉତ୍ତୋଳନ କରିଥିଲେ । ବିଇଓ ତଥା ମେଳା କମିଟିର ସଭାପତି ଶ୍ରୀ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବରେଣ୍ଯ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା, ସାଂସଦ ପ୍ରତିନିଧି ଜୟନ୍ତ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ଗଜେନ୍ଦ୍ର ପ୍ରସାଦ ଦାସ ଓ ରଶ୍ମିତା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁପାରୀ ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଧର ପ୍ରସାଦ ବେହେରା, ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଗୌରାଙ୍ଗ ମହାପାତ୍ର, ସହ-ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ କୁମାର ମିଶ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେସ୍ରା, ବିଜ୍ଞାନ ସଂଯୋଜକ ଜୟନ୍ତ କୁମାର ପଣ୍ଡା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଘୁନାଥ ଦଳେଇ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ଅତିଥିମାନେ କୁନି କୁନି ପିଲାମାନଙ୍କ ଦ୍ବାରା ନିର୍ମାଣ ହୋଇଥିବା ବୈଜ୍ଞାନିକ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କୁନି ବୈଜ୍ଞାନିକ ମାନଙ୍କର ହାତ ତିଆରି ପ୍ରକଳ୍ପ ଗୁଡିକର ନିର୍ମାଣ ଶୈଳୀ ବହୁ ଉଚ୍ଚକୋଟୀର, ଆକର୍ଷଣୀୟ ଥିଲା । ଏହିଭଳି ଉଦ୍ୟମ ଜାରି ରଖିଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଭଳି ସୁନ୍ଦର ସୁନ୍ଦର ପ୍ରକଳ୍ପ ନିର୍ମାଣ କରିଥିବାରୁ କୁନି ବୈଜ୍ଞାନିକ ମାନଙ୍କୁ ଅତିଥି ମାନେ ବହୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ । ଏଥିରେ ସିନିୟର ବିଭାଗର ୮୦ ଓ ଜୁନିୟର ବିଭାଗର ୧୨ ଟି ପ୍ରକଳ୍ପକୁ ମିଶାଇ ମୋଟ ୯୨ ଟି ହୋଇଥିଲା । ୯୨ଟି ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ଆଗାମୀ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହେବାର ସ୍ବପ୍ନକୁ ସାକାର କରିଥିଲା । ସାଂସଦ ପ୍ରତିନିଧି ଶ୍ରୀ ରାଉତଙ୍କ ବିଜ୍ଞାନ ସମ୍ବନ୍ଧୀୟ ବକ୍ତବ୍ୟ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଛାତ୍ରଛାତ୍ରୀ ତଥା କୁନି ବୈଜ୍ଞାନିକ ମାନଙ୍କ ଉଦ୍ଦେଶ୍ୟରେ ଉତ୍ତମ ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରକୁ ପ୍ରାଧାନ୍ୟ ଦେବା ନେଇ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ଅତି ସୁନ୍ଦର, ଉଚ୍ଚକୋଟୀର ଓ ଉପଦେଶାତ୍ମ ଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଧନ୍ୟବାଦ ପରେ ସଭାକାର୍ଯ୍ଯ ଶେଷ ହୋଇଥିଲା ।

ଉଦଯାପନୀ ସଭାରେ ପୂର୍ବତନ ବିଇଓ ସୁଦର୍ଶନ ରାଉତ ଏବଂ ସମସ୍ତ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ଓ ବିଇଓ ଅଫିସ୍ କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ବିଦ୍ୟାଳୟର କୃତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ସଙ୍ଘ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ଓ ବିଇଓ ଅଫିସ୍ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପରିଚାଳନାରେ ଯେପରି କୌଣସି ତୃଟି ନହୁଏ ସେଥିପାଇଁ ବିଆରଟି ମନୋଜ ମହାପାତ୍ର ଏବଂ ଶିକ୍ଷକ ଅଭୟ କୁମାର ଦଳାଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ । ଉକ୍ତ ମେଳା ଦେଖିବାକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.