ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ଘଟଣା, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କଲା କ୍ରାଇମବ୍ରାଞ୍ଚ

ଚାନ୍ଦିପୁର, (ନାଗରାଜ ନ୍ୟୁଜ): ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ଦୁବାଇର ଏକ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ କିସ୍ତିରେ ୩୮ ହଜାର ଟଙ୍କା ଆସିଛି । ଅନ୍ୟ ଅଭିଯୁକ୍ତମାନଙ୍କ ବ୍ୟାଙ୍କର ତଥ୍ୟ ଯାଞ୍ଚ ଚାଲିଛି । ଜଣେ ମହିଳା ଅପେରିଟିଭ୍ ଛଦ୍ମ ନାମ ନେଇ ଏହିସବୁ କାର୍ୟ୍ୟ ତୁଲାଉଥିଲେ । ଫେସବୁକରେ ଏକ ଛଦ୍ମନାମରେ ଏହି ଅଭିଯୁକ୍ତମାନଙ୍କ ସହ ସେ ବନ୍ଧୁତ୍ୱ ସ୍ଥାପନ କରିଥିଲେ ।

ଏହାପରେ ଫେସବୁକରେ ମେସେଞ୍ଜର ଆପ୍ ଜରିଆରେ ଡିଆରଡିଓର ଗୁପ୍ତ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲା । ଏହାପରେ ହ୍ୱାଟ୍ସଆପରେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ଜାରି ରହିଥିଲା । ଏଥିପାଇଁ ଏକ ୟୁକେର ନମ୍ବର ବ୍ୟବହାର କରୁଥିଲେ ଛଦ୍ମବେଶୀୟ ମହିଳା । ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହାଛଡ଼ା ଅନ୍ୟ ଯେକୌଣସି ସୋସିଆଲ ମିଡିଆ ବ୍ୟବହାର ହେଉଥିଲା ସେହି ସବୁ ଆକାଉଣ୍ଟକୁ ନେଇ ତର୍ଜମା ଜାରି ରହିଛି । ଏହିକ୍ରମରେ ବାୟୁସେନାର ଏକ ଟିମ୍‌ ମଧ୍ୟ ଦୁଇଦିନ ଧରି ଅଭିଯୁକ୍ତଙ୍କୁ ଜେରା କରିଛି । ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନ ଗୁଡ଼ିକ ଫରେନସିକ୍ ଯାଞ୍ଚ ପାଇଁ ପଠାଯିବ । ଏହାଛଡ଼ା ଅଭିଯୁକ୍ତମାନେ ଅନ୍ୟ କେଉଁ ମୋଡରେ ଟଙ୍କା ନେଇଛନ୍ତି କି ନାହିଁ ସେନେଇ ତଦନ୍ତ କରାଯିବ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଜେରା କରିବା ବେଳେ ଏହି ସବୁ ତଥ୍ୟ ପଦାକୁ ଆସିଥିବା କଥା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

Leave a Reply

Your email address will not be published.