ନବବର୍ଷ ଉପଲକ୍ଷେ ଶିଶୁକବିତା ପୁସ୍ତକ ଉନ୍ମୋଚିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ସ୍ଥିତ ସମ୍ବାଦ ସାହିତ୍ୟ ଘର ପରିସରରେ ନବବର୍ଷ ଉପଲକ୍ଷେ ଶିଶୁକବି ନଳିନୀକାନ୍ତ ପାଢୀଙ୍କ ଦ୍ବାରା ରଚିତ ଶିଶୁକବିତା ପୁସ୍ତକ ” ଟିକି ଗାଆଁ ଆମ ଟିକି ସରଗ ” ଏବଂ ସୁଜାତା ଦାଶଙ୍କ ଦ୍ବାରା ରଚିତ ଶିଶୁକବିତା ପୁସ୍ତକ ” ପିଲାଏ ଅଟନ୍ତି ଗୋଲାପ ପରି ” ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ବିଶିଷ୍ଟ ସମାଜସେବୀ ଅଜୟ କୁମାର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କାଳୀପଦ ପଣ୍ଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାରୀକବି ଓ ସମାଜସେବୀ ପ୍ରଫେସର ଯଶୋଧାରା ଦାସ ଯୋଗଦେଇ ଶିଶୁ ସାହିତ୍ୟ ରଚନା କରିବା ଅତ୍ୟନ୍ତ କଷ୍ଟକର । ଶିଶୁମାନଙ୍କୁ ଛୁଇଁଲାଭଳି ଛଳଛଳ ଶବ୍ଦ ବିନ୍ୟାସ, ଭାବବୋଧ ଓ ଆକର୍ଷଣୟ ଚିତ୍ରପଟ ହେବା ନେଇ ଗୁରୁତ୍ୱାରୋପ କରିଥିଲେ । ଶିଶୁ ହସିଲେ ଦୁନିଆ ହସେ, ଶିଶୁମାନଙ୍କର ଶାରୀରିକ, ମାନସିକ ବୌଦ୍ଧିକ ଓ ଆବେଗିକ ବିକାଶ ନ ହେଲେ ସେମାନଙ୍କର ସାମଗ୍ରିକ ବିକାଶ ଅସମ୍ଭବ । ତେଣୁ ଶିଶୁମାନଙ୍କୁ ଗଢିତୋଳିବାକୁ ହେଲେ ଶିଶୁସାହିତ୍ୟର ଆବଶ୍ୟକତା ସବୁଠାରୁ ଅଧିକ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ଭିତରେ ସମ୍ମାନିତ ଅତିଥି ଭାବେ କବି ବ୍ରଜେନ୍ଦ୍ର ନାଥ ଗିରି, ଅଧ୍ୟାପକ ଦୟାନିଧି ସାହୁ, ଅଧ୍ୟାପକ ସୁକାନ୍ତ କୁମାର ଗିରି , ଆଧ୍ୟାତ୍ମିକବାଦୀ କବି ଜଗନ୍ନାଥ ପ୍ରଧାନ, ସୁଜାତା ଦାଶ, ଡକ୍ଟର ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପୁସ୍ତକ ଦ୍ୱୟର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । କବି ନଳିନୀ କାନ୍ତ ପାଢ଼ୀ ନିଜ ପୁସ୍ତକ ସମ୍ପର୍କରେ ଶିଶୁ ମନଲାଖି ଉପଯୋଗୀତା, ପଲ୍ଲୀ ଓ ଜାତୀୟ ଚେତନା, ପରିବେଶ ସ୍ୱଚ୍ଛତା ନିମନ୍ତେ ଅନେକ କବିତା ସନ୍ନିବେଶିତ ହେଇଥିବା ବର୍ଣ୍ଣନା କରିବା ସହ ପ୍ରକାଶକ କବି ବ୍ରହ୍ମପୁତ୍ର ନାୟକଙ୍କୁ ପ୍ରଶଂସା କରି ସତ ଧନ୍ୟବାଦ ଦେଇଥିଲେ । ପରେ ପରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଥିଲା । ଚାଳିଶରୁ ଅଧିକ କବି ନବବର୍ଷକୁ ସ୍ୱାଗତ ଜଣାଇ ସ୍ୱରଚିତ କବିତା ପାଠକରିଥିଲେ । ସଂଯୋଜକ ବ୍ୟମକେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published.