ବଲାଙ୍ଗିରରେ ବାଇ ପାଶ ରାସ୍ତା ଏବଂ ଟ୍ରକ ଟର୍ମିନାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ: ନରସିଂହ ମିଶ୍ର

ବଲାଙ୍ଗିର, (ନୀଳାଞ୍ଚି ବିଶି): ବଲାଙ୍ଗିର ସହର ଭିତରେ ବାରମ୍ବାର ଯାନବାହାନ ଦୁର୍ଘଟଣା ଘଟୁଥିବା ଦୃଷ୍ଟିରୁ ସହର ବାହାରେ ବାଇପାସ ରାସ୍ତା ନିର୍ମାଣ ସହିତ ଟ୍ରକ ଟର୍ମିନାଲ ସମ୍ପୂର୍ଣ କରିବାକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ବଲାଙ୍ଗିର ବାସୀଙ୍କ ବହୁ ଦିନର ଦାବୀ ପୁରଣ ହେବ । ଦୀର୍ଘ ବର୍ଷରୁ ବାଇପାସ ନିର୍ମାଣ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ବଲାଙ୍ଗିରରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ସମସ୍ତ ସଂଗଠନ, ସାଧାରଣ ଜନତା, ରାଜନୈତିକ ନେତୃବୃନ୍ଦଙ୍କ ପାଇଁ ଏହି ଆନ୍ଦୋଳନ ଏକ ସମ୍ମାନର ଏବଂ ସ୍ୱାଭିମାନର ପ୍ରଶ୍ନ ହୋଇଯାଇଥିଲା ।

ତେବେ ବର୍ତ୍ତମାନ ବାଇପାସ ନିର୍ମାଣର ବାଟ ଫିଟିବା ଆରମ୍ଭ ହୋଇଯାଇଛି । ଆଉ ତିନି ମାସ ପରେ ବାଇପାସ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ଏହି ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ, ବାଏପାସ ନିର୍ମାଣକୁ ନେଇ ଯାହା ଜମି ବନ୍ଦୋବସ୍ତ ସମ୍ବନ୍ଧୀୟ ସମସ୍ୟା ଥିଲା ସେ ସବୁର ସମାଧାନ ହୋଇଛି । ଆସନ୍ତା ନଭେମ୍ବର ମାସ ସୁଦ୍ଧା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସେ ଜଣାଇଛନ୍ତି । ଏହା ସହ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଲୋକଙ୍କ ଅନ୍ୟ ଏକ ଦାବୀ ଟ୍ରକ ଟର୍ମିନାଲର ଟେଣ୍ଡର ପ୍ରକ୍ରିୟା ଏ ଭିତରେ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଗଲେ ଟ୍ରକ ଟର୍ମିନାଲ କାମ ମଧ୍ୟ ଆରମ୍ଭ ହୋଇଯିବ ।

ସେହିପରି, ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରେସ ବିବୃତ୍ତିରେ ବଲାଙ୍ଗିରରେ ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଆରମ୍ଭକୁ ନେଇ ମଧ୍ୟ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲୋୟର ସୁକତେଲ ସମ୍ବନ୍ଧୀୟ ସମସ୍ତ ଅଧିକାରୀମାନଙ୍କୁ ନେଇ ହେଉଥିବା ବୈଠକମାନଙ୍କରେ ଲୋକଙ୍କୁ ଠିକ୍ ହିସାବରେ ବିସ୍ଥାପନ, କ୍ଷତିପୁରଣ ଓ ପୁନର୍ବାସ ଉପରେ ହୃଦୟତାର ସହ କାମ କରିବାକୁ କହିଛନ୍ତି ।

ଏହାସହ ଲୋୟର ସୁକତେଲ ବିସ୍ଥାପିତମାନଙ୍କ ପୁନର୍ବାସ, ଥଇଥାନ ପାଇଁ ସହର ଉପକଣ୍ଠରେ ତିଆରି ହୋଇଥିବା କଲୋନୀ ମାନଙ୍କରେ ଯେପରି ସମସ୍ତ ପ୍ରକାର ମୌଳିକ ସୁବିଧା ଲୋକଙ୍କୁ ଠିକ୍ ହିସାବରେ ମିଳିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶାନ୍ତିପୁର୍ଣ୍ଣ ଭାବେ କୌଣସି ପ୍ରତିବନ୍ଧକ ବିନା ଲୋକଙ୍କ ବହୁତ ଦିନର ଆଶା ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଏହି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମଧ୍ୟ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ନିଶ୍ଚୟ ସମ୍ପୁର୍ଣ୍ଣ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published.