ଭୋଟରଙ୍କୁ ବ୍ଲାଙ୍କ ଚେକ ବଣ୍ଟନ, ଭାଇରାଲ ହେଲା ଭିଡିଓ

ପୁରୀ, (ନାଗରାଜ ନ୍ୟୁଜ): ଭୋଟ ଦେବା ପାଇଁ ଭୋଟରଙ୍କୁ ବ୍ଲାଙ୍କ ଚେକ ବଣ୍ଟନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଗୋପ ବ୍ଲକ୍ ନୂଆଖୋଲମରା ପଞ୍ଚାୟତରୁ । ଭୋଟ୍ ପାଇଁ ଜନୈକ ପ୍ରାର୍ଥୀ ଚେକ୍ ବାଣ୍ଟିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ପରେ ଗୋପ ବ୍ଳକ୍‌ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନଗୋ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ କେତୋଟି ଚେକ୍ ବଣ୍ଟନ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ କି ୩ ହଜାର ଟଙ୍କା ଲେଖା ରହିଛି । କିଛି ମହିଳା ଗୋଷ୍ଠୀଙ୍କୁ ଏହି ଚେକ ପ୍ରଦାନ କରାଯାଇଥିବାବେଳେ ଏହାକୁ ବିରୋଧୀ ଧରିବା ସହିତ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଖବର ଜଣାପଡିବା ପରେ ଗୋପ ନିର୍ବାଚନ ଅଧିକାରୀ ତଥା ବିଡିଓ ଦୀପ୍ତିରାଣୀ ଦାସ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗୋପ ତହସିଲଦାର ଏସ୍.କେ, ସାଗର ତଦନ୍ତ ଆରମ୍ଭ କରିବା ସହିତ ଗୋପ ଷ୍ଟେଟ ବ୍ୟାଙ୍କରେ ସମସ୍ତ ଦସ୍ତାବିଜ୍ ସଂଗ୍ରହ କରିଛନ୍ତି । ଅଧିକ ତଥ୍ୟ ସଂଗ୍ରହ କରି ଘଟଣା ପ୍ରମାଣିତ ହେଲେ ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଘଟଣାଟି ଏବେ ଲୋକଲୋଚନକୁ ଆସିବା ପରେ ଭିନ୍ନ ମୋଡ଼ ନେବାରେ ଲାଗିଛି । ସବୁ ଆଇନ୍ କାନୁନ୍‌କୁ ଫୁ କରିଦେଇ ସରପଞ୍ଚ ପ୍ରାର୍ଥୀ ଭୋଟ ପାଇଁ ଚେକ୍ ବଣ୍ଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଅଭିଯୋଗ ଆସିଥିବା ସରପଞ୍ଚ ପ୍ରାର୍ଥୀ କହିଛନ୍ତି ଏ ସବୁ ମିଥ୍ୟା । ବିରୋଧୀ ତାଙ୍କ ନାଁ ଅପ୍ରପ୍ରଚାର କରିଛନ୍ତି ।

Leave a Reply

Your email address will not be published.