ଡକ୍ଟର ହରେକୃଷ୍ଣ ମେହେରଙ୍କୁ “ଗୀତିସଂସ୍କୃତ-ମହାକବିଃ ରାଷ୍ଟ୍ରୀୟ ସମ୍ମାନ”

ପୁରୀ,(ନାଗରାଜ ନ୍ୟୁଜ): ସଂସ୍କୃତ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ହରେକୃଷ୍ଣ ମେହେରଙ୍କୁ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ପୁରୀରେ ୧୨-୧୩ ମାର୍ଚ୍ଚ ୨୦୨୩ ରେ ଆୟୋଜିତ ରାଷ୍ଟ୍ରୀୟ ସଂସ୍କୃତ ସମ୍ମେଳନରେ “ଗୀତିସଂସ୍କୃତମହାକବିଃ ରାଷ୍ଟ୍ରୀୟ ସମ୍ମାନ”ରେ ସମ୍ମାନିତ କରାଯାଇଛି ।

ସର୍ବଭାରତୀୟ ସ୍ତରରେ ସଂସ୍କୃତସେବାରେ ନିୟୋଜିତ ଏହି ସମିତିର ୪୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାତୀୟ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବରେଣ୍ୟ ଅତିଥି ଓ ବିଦ୍ୱାନ୍ ସାରସ୍ଵତ ସାଧକବୃନ୍ଦ ଯୋଗଦାନ କରିଥିଲେ ।

ଅନେକଭାଷାବିତ୍ ଡକ୍ଟର ହରେକୃଷ୍ଣ ମେହେର ଆଧୁନିକ ସଂସ୍କୃତ ସାହିତ୍ୟରେ ଜଣେ ସର୍ଜନଶୀଳ ପ୍ରତିଭାବାନ୍ ବିଶିଷ୍ଟ ଗୀତିକବି, ସ୍ବରସଂଯୋଜକ, ଗବେଷକ, ଅନୁବାଦକ, ପ୍ରାବନ୍ଧିକ ଓ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ଆଧୁନିକ ସଂସ୍କୃତ କାବ୍ୟକୃତି ଉପରେ ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଗବେଷଣାଦି ସମ୍ପନ୍ନ ହୋଇଛି । ମାତୃଗୀତିକାଞ୍ଜଳିଃ, ପୁଷ୍ପାଞ୍ଜଳିବିଚିତ୍ରା, ସ୍ବସ୍ତିକବିତାଞ୍ଜଳିଃ, ଜୀବନାଲେଖ୍ୟମ୍, ଅସ୍ରମଜସ୍ରମ୍, ସୌନ୍ଦର୍ଯ୍ୟସନ୍ଦର୍ଶନମ୍ ଆଦି ଅନେକ ମୌଳିକ ସଂସ୍କୃତ କାବ୍ୟର ସେ ରଚୟିତା । ତାଙ୍କ ଅନୂଦିତ କୃତି ମଧ୍ୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରଣୀତ ଓଡ଼ିଆ ମହାକାବ୍ୟ ତପସ୍ଵିନୀର ହିନ୍ଦୀ-ଇଂରାଜୀ-ସଂସ୍କୃତ ତ୍ରିଭାଷୀ ଅନୁବାଦ ଆନ୍ତର୍ଜାତିକ ସ୍ତରରେ ବିଶେଷ ପ୍ରସିଦ୍ଧି ଲାଭ କରିଛି ।

Leave a Reply

Your email address will not be published.