ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ

କଟକ,(ନାଗରାଜ ନ୍ୟୁଜ): ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ହୀରାକୁଦ ଜଳଭଣ୍ଡାରରୁ ପ୍ରାୟ ୨୦ଟି ଗେଟ ଦେଇ ବନ୍ୟା ଜଳ ଛଡା ଯାଉଛି । ଫଳରେ ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟର ସର୍ବ ବୃହତମ ନଦୀ ମହାନଦୀର ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ପାଣି କଟକ ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିବା ପରେ ମହାନଦୀର ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୩ ଲକ୍ଷ ୫୧୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି ।ସାଧାରଣତଃ ମୁଣ୍ଡଳୀ ବ୍ୟାରେଜ ଦେଇ ଏହି ବନ୍ୟାଜଳ ମହାନଦୀର ଯୋବ୍ରା ବ୍ୟାରେଜ ଓ କାଠଯୋଡି ନଦୀର ନରାଜ ବ୍ୟାରେଜ ଦେଇ ନିଷ୍କାସନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସୁଦ୍ଧା ଯୋବ୍ରା ବ୍ୟାରେଜ ଦେଇ ୧ ଲକ୍ଷ ୬୪ ହଜାର କ୍ୟୁସେକ୍‌ ଓ ନରାଜ ବ୍ୟାରେଜ ଦେଇ ୧ ଲକ୍ଷ ୧୯ ହଜାର ୧୫୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି । ମୁଣ୍ଡଳୀର ଉପର ମୁଣ୍ଡରେ ଥିବା ବରମୂଳ ଦେଇ ୩ ଲକ୍ଷ ୧୮ ହଜାର ୭୫୦ କ୍ୟୁସେକ ପାଣି ପ୍ରବାହିତ ହେଉଛି ।ବରମୂଳର ଉପର ମୁଣ୍ଡରେ ଥିବା ଖଇର ମାଳ ବ୍ୟାରେଜ ଦେଇ ୪ ଲକ୍ଷ ୯୬ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଖଇରମାଳର ପାଣି ୧୨ ଘଣ୍ଟା ପରେ ବରମୂଳ ଓ ବରମୂଳର ପାଣି ଆଉ ୧୨ ଘଣ୍ଟା ପରେ ମୁଣ୍ଡଳୀରେ ପହଞ୍ଚିବ । ଫଳରେ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେବାକୁ ଯାଉଛି । ଖଇରମାଳ ବ୍ୟାରେଜ ଦେଇ ୪ ଲକ୍ଷ ୯୬ ହଜାର କ୍ୟୁସେକ ପାଣି ମୁଣ୍ଡଳୀରେ ପହଞ୍ଚିବା ବେଳକୁ ଏହା ଆହୁରି ବୃଦ୍ଧି ପାଇପାରେ ।

ବିଶେଷ କରି ଉପର ମୁଣ୍ଡ ହେଉଥିବା ଲଗାଣ ବର୍ଷା ଓ ମହାନଦୀର ଉପନଦୀ ଗୁଡିକର ପାଣି ମିଶିବା ପରେ ଏହି ପାଣିର ପରିମାଣ ୬ ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ବକୁ ଚାଲିଯିବ ବୋଲି ଆକଳନ କରିଛନ୍ତି ମୁଣ୍ଡଳୀ ବ୍ୟାରେଜ କର୍ତ୍ତୃପକ୍ଷ । ତେବେ ଆସନ୍ତାକାଲି ମହାନଦୀରେ ଚଳିତ ବର୍ଷର ସର୍ବାଧିକ ଜଳସ୍ତର ପ୍ରବାହିତ ହେବାର ସମ୍ଭାବନା ରହିଛି । ତେବେ ଏହା ତଳିଆ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବ ନାହିଁ ବୋଲି ଜଣାପଡ଼ିଛି । ତେବେ ଏହି ଜଳସ୍ତର ୧୧ ଲକ୍ଷ କ୍ୟୁସେକରୁ ଅଧିକ ହେଲେ ତଳିଆ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published.