ବଜାରର ବିଭିନ୍ନ ସମସ୍ୟାକୁ ନେଇ ଡୁଙ୍ଗୁରା ବଣିକ ସଂଘର ସାମ୍ବାଦିକ ସମ୍ମିଳନୀ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧିନ ଡୁଙ୍ଗୁରା ବଜାର ପରିସରରେ ବଜାରର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଜୟ ଜଗନ୍ନାଥ ବଣିକ ସଂଘର ସଭାପତି ଶିଶିର କୁମାର ସାମଲଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ବଜାର ଶହେରୁ ଉର୍ଦ୍ଧ୍ବ ବର୍ଷର ପୁରୁଣା ବଜାର ହୋଇଥିବାବେଳେ ଏହି ବଜାର ଉପରେ ୧୦ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବାବେଳେ ଅନେକ ବ୍ୟବସାୟୀ ଏଠାରେ ଦୋକାନ କରି ନିଜର ଗଜୁରାଣ ମେଣ୍ଟାଇ ଥାଆନ୍ତି।ହେଲେ ବର୍ଷେ ପୂର୍ବରୁ ବଜାର ଦେଇ ଯାଇଥିବା ରାସ୍ତା ସମ୍ପ୍ରସାରଣ ହେବାରୁ ପ୍ରଶାସନ ତରଫରୁ ଅନେକ ଦୋକାନ ଘର ଭାଙ୍ଗି ଦିଆଯାଇଥିବାବେଳେ ଅନେକ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି।ଅନ୍ୟପଟେ ବଜାରରେ ପାନୀୟ ଜଳର ସୁବିଧା ନଥିବାବେଳେ,ରେଷ୍ଟ ହାଉସ ଏବଂ ଶୌଚାଳୟ ନଥିବାରୁ ବ୍ୟବସାୟୀ ଏବଂ ଜନସାଧାରଣମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବ୍ୟବସାୟୀମାନେ ମିଶି ବଜାର ପରିସରରେ କୌଣସି ଉନ୍ନତୀମୂଳକ କାର୍ଯ୍ୟ କଲେ ନିତ୍ୟାନନ୍ଦ ସାହୁ ନାମକ ସ୍ଥାନୀୟ ବାସିନ୍ଦା ପ୍ରତ୍ୟକ କାର୍ଯ୍ୟକୁ ବିରୋଧ କରି କାର୍ଯ୍ୟ ବନ୍ଦ କରିବା ସହିତ ବ୍ୟବସାୟୀଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରୁଛନ୍ତି।ହେଲେ ଏ ନେଇ ବଜାରର ବ୍ୟବସାୟୀମାନେ ସ୍ଥାନୀୟ ସରପଞ୍ଚ,ବାଲେଶ୍ୱର ଜିଲ୍ଲାପାଳ,ଖଇରା ବିଡ଼ିଓ,ଖଇରା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କିଛି ବୁଝୁନଥିବା ଅଭିଯୋଗ କରିଛନ୍ତି।ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବଜାରରେ ନଳକୂପ,ରେଷ୍ଟହାଉସ,ଶୌଚାଳୟ ନିର୍ମାଣ କରିବାକୁ ଦାବି କରିଛନ୍ତି।ଅନ୍ୟପଟେ ଡୁଙ୍ଗୁରା ଏକ ବଡ଼ ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ସମୟରେ ଚୋରି,ଡକାୟତି ଏବଂ ଗଣ୍ଡଗୋଳ ହେଉଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଡୁଙ୍ଗୁରାରେ ଏକ ଫାଣ୍ଡି ନିର୍ମାଣ ଏବଂ ଏଠାରେ ଥିବା ମେଡିକାଲର ଡାକ୍ତର ନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ନନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଠାରେ ଫାଣ୍ଡି ଏବଂ ମେଡିକାଲର ଡାକ୍ତର ନିଯୁକ୍ତି ପାଇଁ ଦାବିକରିଛନ୍ତି।ଆଗାମୀଦିନରେ ଏହାର ସମାଧାନ ନହେଲେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ବଣିକ ସଂଘର ସଦସ୍ୟମାନେ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶିଶିର କୁମାର ସାମଲ,ସମ୍ପାଦକ ବିଷ୍ଣୁପ୍ରସାଦ ବାରିକ,ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ଲେଙ୍କା,ବସନ୍ତ ପଣ୍ଡା,ସଞ୍ଜୟ ପଲେଇ, ମାନସ କୁମାର ସାମଲ,ମନୋରଞ୍ଜନ କୁଅଁର,ରାକେଶ ବାରିକ,ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.