ଖଟରେ ଶୋଉ ନଥିବା ଗାଁ କୋଟଗାଁ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ନିଦ ଖୋଜେ ଆରାମ ଶେଜ । ନିଦ ହେଲେ ମଣିଷ ଯେ କୌଣସି ସ୍ଥାନରେ ଶୋଇ ପଡେ । ତଥାପି ଟିକେ ଆରାମରେ ଶୋଇବାକୁ ମଣିଷ ପସନ୍ଦ କରେ । ଧନୀ ହେଉ କି ଗରିବ ସମସ୍ତେ ନିଶ୍ଚିତ ଖୋଜନ୍ତି ଖଟ କି ପଲଙ୍କ । ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଗୋଟେ ଗାଁ ଅଛି ଯେଉଁ ଗାଁରେ କାଳ କାଳ ଧରି ଖଟ କି ପଲଙ୍କ ବ୍ୟବହାର ହେଉନଥିବା ଦେଖିବାକୁ ମିଳିଛି । ଏହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ନିରାଟ ସତ୍ୟ । ନୂଆପଡ଼ା ଜିଲ୍ଲାର ଏକ ଗାଁ ଅଛି ସେହି ଗାଁର ନାଁ କୋଟଗାଁ । ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ଶହେ ୫ କି.ମି. ଦୂର ବଣ ପାହାଡ ଘେରା ପାତାଳ ଗଙ୍ଗା ନିକଟସ୍ଥ ଆଦିମ ଜନଜାତି ବହୁଳ ଏକ ବସ୍ତି ହେଉଛି କୋଟଗାଁ । ଏହି ଗାଁରେ ମୁଖ୍ୟତ ଗଣ୍ଡ ମାଝୀ ଓ ଭୁଞ୍ଜିଆ ଚିନ୍ଦା ସମ୍ପ୍ରଦାୟରର ଲୋକେ ବସବାସ କରନ୍ତି । ଏହି ଅଧିବାସୀମାନେ ତାଙ୍କ ଦେବାଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖିଥାନ୍ତି । ଏହି ଦେବାଦେବୀଙ୍କୁ ନେଇ ଗାଁରେ ରହିଛି ଏକ ଅଜଣା ପରମ୍ପରା । ଗାଁର ଇଷ୍ଟ ଦେବୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ଗାଁର ଆବାଳବୃଦ୍ଧବନିତା ସମସ୍ତେ ଯୁଗ ଯୁଗ ଧରି ଖଟରେ ଶୋଉନଥିବା ବେଳେ ଚୌକିରେ ବସୁନଥିବା ଦେଖିବାକୁ ମିଳେ । ଏଠାରେ ସମସ୍ତେ ତଳେ ଶୋଉଥିବାବେଳେ କୌଣସି ଅତିଥି ଆସିଲେ ମଧ୍ୟ ତଳେ ବସିବାକୁ ଦିଆଯାଉଥିବା ଦେଖିବାକୁ ମିଳେ । ଯେତେବେଳେ ଭୁଲ ବଶତଃ ଖଟରେ ଶୋଇଲେ ଦେବୀ ଆବିର୍ଭାବ ହୋଇ ଖଟରୁ ଫିଙ୍ଗି କଷ୍ଟ ପୀଡ଼ା ଦିଅନ୍ତି ବୋଲି ଗାଁ ଲୋକେ କହିଛନ୍ତି ।

ପାଖାପାଖି ୯୦୦ ଜନ ସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୁଚି ରହିଛି ଏକ ଅଜଣା ପରମ୍ପରା, ଯାହାକି ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଜାଣି ନାହାଁନ୍ତି । ଗାଁର ପରମ୍ପରା ଅନୁସାରେ ତ୍ରେତୟା ଯୁଗରୁ ପିଢ଼ି ପରେ ପିଢ଼ି ଏହି ଗାଁର ଲୋକେ ଖଟରେ ଶୁଅନ୍ତି ନାହିଁ କି ଚୌକିରେ ବସନ୍ତି ନାହିଁ । ସେହିପରି ଘରପିଣ୍ଡାରେ ଚପଲ ମଧ୍ୟ ବ୍ୟବହାର କରନ୍ତି ନାହିଁ । କାରଣ ଗାଁ ମୁଣ୍ଡରେ ରହିଛନ୍ତି ଗାଁର ଇଷ୍ଟ ଦେବୀ ମାଁ ଦ୍ୱାରସନୀ, ଗୁରୁବୁଢ଼ା ଓ ଖଟତାଲିବାବୁ । ଏହି ଦେବୀମାନେ ମାଟିରୁ ଜନ୍ମ ନେଇଛନ୍ତି । ଆମେ ଯଦି ମାଟି ଉପରେ ଖଟ କି ପଲଙ୍କ ବ୍ୟବହାର କରିବୁ ମା’ଙ୍କୁ ଅସମ୍ମାନ ହେବ ବୋଲି ଏଠିକାର ଲୋକମାନଙ୍କ ଦୃଢ଼ ବିଶ୍ୱାସ ରହିଛି । ଗାଁକୁ କୌଣସି ନେତା କି ମନ୍ତ୍ରୀ, ସରକାରୀ ଅଧିକାରୀ ଆସିଲେ ମଧ୍ୟ ସେମାନଙ୍କୁ ତଳେ ଚଟିଆରେ ବସିବାକୁ ଦେଇଥାନ୍ତି । କୋଟଗାଁର ଏହି ପରମ୍ପରା ବହୁ ପୁରାତନ । ସେମାନଙ୍କ କହିବା ଅନୁସାରେ, ଗାଁର ଇଷ୍ଟଦେବୀ ଦ୍ୱାରସନୀ ଦେବୀଙ୍କ ସ୍ୱାମୀ ବୁଢାରାଜା ଏବଂ ତାଙ୍କ ଏକ ମାତ୍ର ପୁଅ ଖଟତାଲିବାବୁ ଅଟନ୍ତି । ଦେବୀ ଦ୍ୱାରସନୀଙ୍କ ସାତ ଭଉଣୀ ଅଛନ୍ତି । ବୋଡେନ ବ୍ଲକର ୨୪ଟି ଟିକ୍ରି ଅର୍ଥାତ ଚବିଶିଟି ଗାଁର ଗଉନ୍ତିଆଙ୍କ ନେତୃତ୍ୱରେ ଦେବୀ ପୂଜା ପାଇ ଆସୁଛନ୍ତି । ଦେବୀଙ୍କ ବର୍ଷକୁ ୫ ଗୋଟି ଯାତ୍ରା ହୋଇଥାଏ । ଦେବୀଙ୍କ ଶତାଧିକ ମୁଖ୍ୟ ସେବାୟତ ରହିଛନ୍ତି । ଯେ କେହି ମା’ଙ୍କୁ ଅସମ୍ମାନ କରି ସେବାରେ ଅବହେଳା କଲେ ମା’ କଷ୍ଟ ଦେଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ଏହି ଗାଁରେ ଖଟ କିମ୍ବା ପଲଙ୍କ ଆଉ ଯୋତା ଚପଲ ବ୍ୟବହାର କରୁନଥିବା ତାଙ୍କର ପୁରୁଣା ପରମ୍ପରା ବୋଲି ଗବେଷକମାନେ ମଧ୍ୟ ମତବ୍ୟକ୍ତ କରିଥାନ୍ତି । ଯୁଗ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ସମୟର ତାଳରେ ତାଳ ଦେଇ ନିଜ ପରମ୍ପରାକୁ ବଜାୟ ରଖି ଜୀବନ ଅତିବାହିତ କରୁଛନ୍ତି ଆଦିମ ଜନଜାତି । ଆଧୁନିକ ଯୁଗରେ ମଧ୍ୟ ଖଟ କି ପଲଙ୍କ ଆଉ ଯୋତା ଚପଲ ବ୍ୟବହାର ନକରି ସୁଖଶାନ୍ତିରେ ବଞ୍ଚୁଛନ୍ତି କୋଟଗାଁ ଗ୍ରାମବାସି ।

Leave a Reply

Your email address will not be published.