ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀକ୍ଷେତ୍ରରେ ପୁଣି ବିଭତ୍ସ ହତ୍ୟା। ପୁରୀ ସହରର ଜଣାଶୁଣା ସେବାୟତ ତଥା ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା। ବାରବାଟୀ ଜାଗାର ସମ୍ପାଦକ ଥିବା ଏହି ବରିଷ୍ଠ ସେବାୟତ ଜଣଙ୍କ ଆଜି ସକାଳ ସାଢେ ଦଶଟା ସମୟରେ ଜାଗା ନିକଟରେ ବସିଥିଲେ। ବାଇକରେ କିଛି ଦୁର୍ବୃତ୍ତ ବାରବାଟି ଯାଗାରେ ପହଞ୍ଚି କାଳିଆଙ୍କ ଉପରକୁ ଅଣି ନିକଟରୁ ଗୁଳି ଚଳାଇଥିଲେ। ସମୁଦାୟ ତିନି ରାଉଣ୍ଡ ଗୁଳି ଫୁଟିଥିବା ବେଳେ କାଳିଆଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା। ଆଉ ସେହିଠାରେ ହିଁ କାଳିଆଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଘଟଣାସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ କାଳିଆଙ୍କୁ ଚିକିତ୍ସା ପାଇଁ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ଗୃହରେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କାରାଯାଇଥିଲା। ଖବର ପାଇ ହସପିଟାଲରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପହଞ୍ଚିଥିଲେ।

କାଳିଆଙ୍କ ହତ୍ୟା ଖବର ଶୁଣିବା ପରେ ହସପିଟାଲରେ ସେବାୟତଙ୍କ ସହ ଅନେକ ଯୁବକଙ୍କ ଭିଡ ଜମିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଏସପି କନୱର ବିଶାଳ ସିଂ ଙ୍କ ସହ ଅତିରିକ୍ତ ଏସପି, ସମସ୍ତ ଥାନାର ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ ହୋଇଥିଲେ‌। ହତ୍ୟା ଘଟଣାକୁ ନେଇ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସାନ ଭାଇ ନରସିଂହ ପ୍ରତିହାରୀ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏସପିଙ୍କ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଚାରୋଟି ଟିମ ଗଠନ କରାଯାଇ ତଦନ୍ତ ସହ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଆରମ୍ଭ କରିଛି। ତେବେ ଗତ ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁନ ସିଂହାରିକୁ ହତ୍ୟା କରାଯାଇଥିଲା। ସେହି ଘଟଣାକୁ ନେଇ ପୋଲିସ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ କାଳିଆ ସୁପ୍ରିମକୋର୍ଟରୁ ଜାମିନରେ ଆସିଥିଲେ। ଗୁନ ସିଂହାରି ହତ୍ୟା ମାମଲାରେ ଗତ ଜାନୁଆରୀ ୨୦ ରେ ପୁରୀ SDJM କୋର୍ଟ ପ୍ରମାଣ ଅଭାବରୁ କାଳିଆ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରିଥିଲା। ତେବେ ସେହି ଘଟଣାକୁ ନେଇ ପ୍ରତିଶୋଧ ନିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ମୃତ କାଳିଆ ପ୍ରତିହାରୀ କେବଳ ସୁଆର ମହାସୁଆର ନିଯୋଗର ସମ୍ପାଦକ ନୁହେଁ ବରଂ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଥିଲେ। ତେବେ କିଏ ଓ କାହିଁକି ଏଭଳି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ସେନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସେପଟେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ସେବାୟତ ପରିବାର ଓ ଶ୍ରୀକ୍ଷେତ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.