ମା’ ଭଟ୍ଟାରିକାଙ୍କ ପିଠରେ ପାଳିତ ହେଉଛି ମହାନବମୀ ପୂଜା

କଟକ, (ନାଗରାଜ ନ୍ୟୁଜ ): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା । ମା’ ଭଟ୍ଟାରିକାଙ୍କ ପୀଠରେ ରାତି ୪ଟାରୁ ପହଡ ଖୋଲାଯାଇ ସକାଳ ୮ଟାରେ ବଲ୍ଲଭ ପୂଜା କରାଯାଇଛି । ସକାଳ ଧୂପ, ସ୍ନାନ, କ୍ଷିରି ଧୂପ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ କରାଯାଇ ରାତି ୧୧ଟାରେ ପହଡ ପଡିଥାଏ ବୋଲି ଭଟାରିକାଙ୍କ ମୁଖ୍ୟ ପୂଜକ ଲଳିତ ଦାସ ସୂଚନା ଦେଇଛନ୍ତି । କୋଭିଡ଼ ନିୟମ ଅନୁଯାୟୀ ପାଳନ କରାଯାଉଛି ମାଙ୍କ ମହାନବମୀ ପୂଜା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ ମା’ଙ୍କ ଷୋଳଦିନାତ୍ମକ ପୂଜା । ଏହି ପୂଜା ଷୋଳ ଦିନ ଧରି ଚାଲିଥାଏ ।

ଷୋଳ ଦିନ ପୂଜା ଭିତରେ ମା’ ପ୍ରତ୍ୟେକ ଦିନ ସୁନା ବେଶ ହୋଇଥାନ୍ତି । ମା’ ଭଟ୍ଟାରିକାଙ୍କ ସବୁଠାରୁ ବଡ ପୂଜା ହେଉଛି ମହାନବମୀ ପୂଜା । ଆଜି ଦିନରେ ମା’ଙ୍କ ଉଗ୍ର ଚାମୁଣ୍ଡା ବେଶ । ଏହି ବେଶ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ । କରୋନା କଟକଣା ଯୋଗୁଁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶକୁ କଡାକଡି କରାଯାଇଛି । ମା’ଙ୍କ ପୂଜା ରୀତି ନୀତିରେ କୌଣସି ପ୍ରକାର ବ୍ୟତିକ୍ରମ ନହୁଏ ସେଥିପ୍ରତି ଦେବୋତ୍ତର ବିଭାଗ ଓ ମନ୍ଦିର ସେବାୟତମାନଙ୍କ ତରଫରୁ ବିଶେଷ ଭାବରେ ନଜର ରଖାଯାଇଛି ।

Leave a Reply

Your email address will not be published.