ଗ୍ୟାସର ବର୍ଦ୍ଧିତ ଦର ବୃଦ୍ଧିକୁ ନେଇ ମାହାଙ୍ଗା ବିଜେଡିର ବିକ୍ଷୋଭ ପ୍ରଦର୍ଶନ

କଟକ, (ନାଗରାଜ ନ୍ୟୁଜ): ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ବିଜେପି ବିରୁଦ୍ଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି । ଆଇନି ମନ୍ତ୍ରୀ ତଥା ରାଜ୍ୟ ବିଜେଡିର ଟାଣୁଆ ନେତା ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଁପାଳ ବ୍ଲକ ସାମ୍ନାରେ ବିଜେଡିର ମହିଳା, ଛାତ୍ର, ଏବଂ ଯୁବ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମହିଳା ବିଜେଡି ରାସ୍ତା ଉପରେ ଚୁଲି ଜାଳିବା ସହ ରୋଷେଇ କରି ପ୍ରତିବାଦ ଜଣାଇଥିଲା । ଶାସନକୁ ଆସିବା ପରଠୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।

ପଟାମୁଣ୍ଡାଇ କେନାଲ ବନ୍ଧ ତାରିଣୀ ମନ୍ଦିର ଠାରୁ ବ୍ଲକ ବିଜେଡିର ପ୍ରତିବାଦ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ନିହାର ରଞ୍ଜନ ମଲ୍ଲିକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

Leave a Reply

Your email address will not be published.