ଅରଖକୁଦାରେ ମାଛଧରା ଜେଟି ଓ ସାତପଡାରେ ଡିଜେଲ ଟାଙ୍କି ନିର୍ମାଣ ସଂପର୍କିତ ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ମତ୍ସଜିବୀ ମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତରଣ ସାହୁ, ବ୍ରହ୍ମଗିରି ତହସିଲଦାର ଶ୍ରୀ କାହ୍ନୁଚରଣ ଘଡେଇ, ମତ୍ସବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ଭଞ୍ଜ, ମତ୍ସ ବିକାଶ ଇଞ୍ଜିନିୟରିଂ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲକ୍ଷଣ ମିଶ୍ର, ଜିଲ୍ଲା ମତ୍ସ ଅଧିକାରୀ ଶ୍ରୀ କୁଅଁର ମାରଣ୍ତି, ସାମୁଦ୍ରିକ ଅତିରିକ୍ତ ମତ୍ସ ଅଧିକାରୀ ଶ୍ରୀ ରବିନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମତ୍ସଜିବୀ ମାନଙ୍କ ସୁବିଧା ନିମନ୍ତେ ଅରଖକୁଦା ଠାରେ ମାଛଧରା ଜେଟି, ମତ୍ସଜିବୀ ମାନେ ସେମାନଙ୍କ ମାଛ ଧରା ଡଙ୍ଗାରେ ତେଲ ପକାଇବା ପାଇଁ ସାତପଡା ଠାରେ ଏକ ଡିଜେଲ ଟାଙ୍କି ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଡଙ୍ଗା ପଞ୍ଜିକରଣ ନିମନ୍ତେ ବାଲୁଗାଁ ଯିବାକୁ ପଡୁଥିବାରୁ ସାତପଡା ଠାରେ ଏକ କ୍ୟାମ୍ପ ଅଫିସ ଖୋଲିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ପାଇଁ ମତ୍ସବିଭାଗକୁ ଅବଗତ କରିବାକୁ ଶ୍ରୀ ଦାସବର୍ମା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ମତ୍ସଜିବୀ ମାନେ ଅନେକାଂଶରେ ଉପକୃତ ହୋଇପାରିବେ ।

Leave a Reply

Your email address will not be published.