ରକ୍ତଦାନ ଶିବିର ଓ ଭିନ୍ନକ୍ଷମ ପିଲାଙ୍କ ଗହଣରେ ଜନ୍ମଦିନ ପାଳିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ, (ନାଗରାଜ ନ୍ୟୁଜ): ମନ୍ତ୍ରୀ ପ୍ରତାପ ଜେନାଙ୍କ ଜନ୍ମ ଦିନ ଅବସରରେ ବିଜେଡି ଦ୍ୱାରା ନିଶ୍ଚିନ୍ତକୋଇଲି ବ୍ଲକ ଶୁକରପଡା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରେଡକ୍ରସ ସହାୟତାରେ ଅଭିଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ ଅଭିଯାନକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହାସହ ନିଶ୍ଚିନ୍ତକୋଇଲି ବ୍ଲକର ଅସୁରେଶ୍ୱର ଠାରେ ଥିବା ମଦର ଟେରେସା ମୁକ ବଧିର ଶିକ୍ଷାନୁଷ୍ଠାନରେ ମନ୍ତ୍ରୀ ଶ୍ରୀ ଜେନା ପହଞ୍ଚି ପିଲାମାନଙ୍କ ସହ ମିଶି ଜନ୍ମଦିନ ପାଳନ କରିଥିଲେ । ଦିବ୍ୟାଙ୍ଗ ପିଲାମାନଙ୍କ ସହିତ ଖୁସି ମନେଇବା, କେକ କାଟିବା, ସେମାନଙ୍କୁ ମିଠା ଖୁଆଇବା ଥିଲା ମୋ ପାଇଁ ସ୍ମରଣୀୟ ସ୍ମୃତି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଫଳତା ପାଇଁ ଚେୟାରମ୍ୟାନ ସବିତା ଓଝା, ଯୁବ ନେତା ଅଶୋକ ଓଝା, ପୂର୍ବତନ ବ୍ଲକ ଚେୟାରମ୍ୟାନ ଗିରିଶ ମହାପାତ୍ର ଓ ବ୍ଲକ ସଭାପତି ରମାକାନ୍ତ ମହାନ୍ତି ପ୍ରମୁଖଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published.