ସିଟି କଲେଜରେ ନୂତନ ମତଦାତା ସଚେତନତା କାର୍ଯ୍ୟକ୍ରମ ଓ ସମ୍ବିଧାନ ଦିବସ

କଟକ,(ନାଗରାଜ ନ୍ୟୁଜ): ସ୍ଥାନୀୟ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପରିସରରେ କଟକ ପୌର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ମତଦାତା ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନରେ ମତଦାନ ପାଇଁ ଭୋଟର ତାଲିକାରେ ତାଲିକାଭୁକ୍ତ ହେବା ପାଇଁ ଆହ୍ବାନ ଦେଇଥିଲେ। ଶିକ୍ଷିତ ସଚେତନ ମତଦାତା ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ସହିତ ରାଷ୍ଟ୍ରୀୟ ବିକାଶରେ ସହାୟକ ହୁଅନ୍ତି ବୋଲି ଡେପୁଟି କଲେକ୍ଟର ଶଶାଙ୍କ ଶେଖର ମିଶ୍ର ମତବ୍ୟକ୍ତ କରିଥିଲେ। ମହାନଗର ନିଗମର ଅଧିକାରୀ ଶ୍ରୀ ରାମୁଡୁ ଓ ଅନ୍ୟ ବୈଷୟିକ କର୍ମଚାରୀମାନେ ଆଭାସୀ ମତଦାତା ପଞ୍ଜିକରଣ ପାଇଁ ସହାୟତା ପ୍ରଦାନ କରିଥିଲେ। ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ମତଦାତା ଭାବେ ପଞ୍ଜୀକୃତ ହୋଇଥିଲେ।

ପ୍ରାଧ୍ୟାପକ ଡଃ ଧରଣୀଧର ପଣ୍ଡା, ଡକ୍ଟର ଅରୁଣ କୁମାର ଦାଶ,ଡଃ ସନ୍ତୋଷ କୁମାର ସାମଲ ଓ ଧୂଳଚନ୍ଦ୍ର ବାରିକି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଭାରତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସମ୍ବିଧାନ ପ୍ରଣୟନସଭାର କାର୍ଯ୍ୟ ଓ ଏହାର ରୂପରେଖ ଉପରେ ଆଲୋଚନା କରିଥିଲେ।ଅଧ୍ୟାପିକା ଆରତୀ ଦାସ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଡକ୍ଟର ଅରୁଣ କୁମାର ଦାଶ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିବା ସହ ବିଶିଷ୍ଟ ରାଜନୀତିଜ୍ଞ ଲୋକସଭାର ଭୂତପୂର୍ବ ବାଚସ୍ପତି ରବି ରାୟ ଓ ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଜନ୍ମତିଥିରେ ରାଷ୍ଟ୍ର ପ୍ରତି ସେମାନଙ୍କ ଅବଦାନ ସ୍ମରଣ କରିଥିଲେ। ଡଃ ହରିଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଅନନ୍ୟା ଅସ୍ମିତା ଛାତ୍ର ଛାତ୍ରୀଙ୍କୁ ସମ୍ବିଧାନର ବୈଶିଷ୍ଟ୍ୟ ସଂପର୍କରେ ଅବଗତ କରିଥିଲେ। ଛାତ୍ର ରଶ୍ମିରଞ୍ଜନ ମହାପାତ୍ର, ଜ୍ୟୋତି ପ୍ରିୟଦର୍ଶିନୀ, ଅଲିଶା ମହାରଣା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published.