ସମ୍ଭାବ୍ୟ ଅଂଶୁଘାତ ଓ ଜଳକ୍ଲିଷ୍ଟ ମୁକାବିଲା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଜିଲ୍ଲାସ୍ତରୀୟ ସମ୍ଭାବ୍ୟ ଅଂଶୁଘାତ ଓ ଜଳକ୍ଲିଷ୍ଟ ମୁକାବିଲା ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପର୍ୟ୍ୟଟନ ସ୍ଥଳୀରେ ଜଳ ଓ ଛାଇ ବ୍ୟବସ୍ଥା, ଜଳାଭାବ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ, ଅନାବଶ୍ୟକ ଭାବେ ଖରାରେ ବାହାରକୁ ନଯିବା କିମ୍ବା ଆବଶ୍ୟକୀୟ ଉପକରଣ ସାଙ୍ଗରେ ନେବାକୁ ସଚେତନତା ସୃଷ୍ଟି କରିବାକୁ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିଭଳି ଶ୍ରମିକ ମାନଙ୍କୁ ପ୍ରବଳ ଖରାରେ କାମ କରିବାକୁ ବାରଣ କରିବା ଏବଂ ନିର୍ମାଣ କାର୍ୟ୍ୟ ସ୍ଥାନରେ ଜଳପାନ, ଛାଇ ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା, ବିଦ୍ୟାଳୟରେ ପିଲାମାନଙ୍କୁ ଖରାରେ ଖେଳିବାକୁ ଅନୁମତି ନଦେବା ଏବଂ ପ୍ରଚୁର ଜଳ ବ୍ୟବସ୍ଥା କରିବା ଉପରେ ମଧ୍ୟ ଆଲୋଚନା ହୋଇଛି । ଖରାଦିନେ ଅଗ୍ନିକାଣ୍ତର ଭୟ ଥିବାରୁ ଏପରି ସ୍ଥଳେ କ୍ଷତିଗ୍ରସ୍ତ ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଓ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିନିମନ୍ତେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ନିୟନ୍ତ୍ରଣ କକ୍ଷ ଆସନ୍ତା ୧୫ ତାରିଖରୁ କାର୍ୟ୍ୟକ୍ଷମ ହେବ । ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷର ନମ୍ବର ହେଲା- ୦୬୭୫୨-୨୨୩୨୩୭ । ଖରାଦିନେ କେତକ ବେସରକାରୀ ସଂସ୍ଥା ଜଳଛତ୍ରର ବ୍ୟବସ୍ଥା କରୁଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ତହସିଲଦାର, ବିଡିଓ, ବିଭାଗୀୟ ଅଧିକାରୀ, ଅଗ୍ନିଶମ, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ, ବେସରକାରୀ ସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.