ପୁରୀରେ ଜମି ଅଧିଗ୍ରହଣ ନେଇ ସାମ୍ବାଦିକ ସମ୍ମିଳନୀ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୭୫ମିଟର ସୁରକ୍ଷା କରିଡ଼ର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୫ପ୍ରତିଶତ ଜମି ଅଧିଗ୍ରହଣ ସରିଲାଣି । ଐତିହ୍ୟ ପ୍ରକଳ୍ପ ଯାତ୍ରୀ ପରିକ୍ରମା ମାର୍ଗ ପାଇଁ ନିକଟରେ ଯଜ୍ଞ ସହ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ପ୍ରକଳ୍ପ ପାଇଁ ବାସେଳୀ ସାହି ଓ ଚୁଡଙ୍ଗ ସାହି ମୌଜାର ୮ଟି ପ୍ଲଟ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରୀ କରାଯିବା ସହ ସନ୍ଧ୍ୟା ସୁଦ୍ଧା ଦୋକାନ ଓ ଘର ଖାଲି କରିବାକୁ ଉଲ୍ଲେଖ ରହିଛି । ଉକ୍ତ ଜମିର କ୍ଷତିପୂରଣ ରାଶି ଦିଆଯାଇଛି ଏଲଏଆର ଆଣ୍ଡ ଆରଙ୍କ ନ୍ୟାୟାଳୟ ଜମି ଦଖଲ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରୁନାହାନ୍ତି ଜମି ମାଲିକ । ଅଧିଗୃହୀତ ହେବାକୁ ଥିବା ଜମି ମାଲିକଙ୍କ ଓକିଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ଦର୍ଶାଇଛନ୍ତି ।

ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ବ୍ୟକ୍ତିଗତ ଭାବେ ଜମି ମାଲିକ ରାଜି ନହେବା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇପାରିବ ନାହିଁ । ୨୦୧୫ମସିହାରୁ କ୍ରମାଗତ ଭାବେ ଜମି ମୂଲ୍ୟ ହ୍ରାସ କରାଯାଇ ଥିବା ବେଳେ ପୁନର୍ବାସ ଓ ପୁନଃଥଇଥାନ ପଲିସିକୁ ଆଦୈା କାର୍ଯ୍ୟକାରୀ କରାଯାଇନାହିଁ । ଏଲଏଆର ଆଣ୍ଡ ଆରଙ୍କ ନ୍ୟାୟାଳୟ ଏଭଳି ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଆଇନଜୀବି ଯୁକ୍ତି ଦର୍ଶାଇଛନ୍ତି । ଅନ୍ୟପଟରେ ଆଜି ସନ୍ଧ୍ୟା ସୁନ୍ଧା ଦୋକାନ ଖାଲି କରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ଉକ୍ତ ଅଞ୍ଚଳରେ ପ୍ରଚାର କରାଯାଇଛି । ସମ୍ଭବତଃ ଆସନ୍ତାକାଲି ଏହି ୮ଟି ପ୍ଲଟ ଭଙ୍ଗାଯାଇ ଜମି ଅଧିଗ୍ରହଣ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି କି ପରିସ୍ଥିତି ଉପୁଜୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published.