ଅନନ୍ୟା ଅଡିଓ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର ୭୨ତମ ଅନନ୍ୟା ଅଡିଓ ଆସର ମହାସମାରୋହରେ ପାଳିତ ହୋଇଯାଇଛି । ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ଆଭାସୀ ଆସରରେ ମୁଖ୍ୟ ଅତିଥି ଭାବେ ଯୋଗାଚାର୍ଯ୍ୟ ବାଇଧର ମୁନୀ, ଉଦଘାଟକ କବିରତ୍ନ ନୂତନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ହୋତା ଓ ସୁସାହିତ୍ୟିକା ମାନସୀ ବେହୁରା ଉପସ୍ଥିତ ଥିଲେ । କୁନି ପ୍ରତିଭା ଆରାଧ୍ୟାଙ୍କ ଶୁଭ ଶଙ୍ଖଧ୍ୱନିରେ ଝଙ୍କୃତ ଆସରରେ ବୀଣା ସାହୁଙ୍କ ବନ୍ଦନା ଏବଂ ପ୍ରତାପ ରାଉତ, ଅଙ୍କିତା ପ୍ରିୟଦର୍ଶିନୀ, ଅଙ୍କିତା ଦାଶ, ରବୀନ୍ଦ୍ର ମହାପାତ୍ର, ଉଜ୍ଜୟିନୀ ମିଶ୍ର ଓ ଶକୁନ୍ତଳା ମିଶ୍ରଙ୍କ ପରି ସ୍ୱର ପ୍ରତିଭାଙ୍କ ଭକ୍ତି ସଂଗୀତ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଉଦଘାଟକଙ୍କ ଉଦବୋଧନ ଓ ମୁଖ୍ୟ ଅତିଥୀଙ୍କ ଆଶୀର୍ବଚନ ଭାବୋଦ୍ଦୀପକ ଥିଲା । ଯୁବ କବି ଯୁବ ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକଙ୍କ ଦ୍ୱାରା ଆସରର ଶିଶୁ କବିତା ଶୁଭାରମ୍ଭ କରାଯାଇଥିବା ବେଳେ ୩୦ଜିଲ୍ଲାର ମୋଟ ୩୬ଜଣ କବି କବୟିତ୍ରୀଙ୍କର ରସବୋଧ ଆବୃତ୍ତି ସଭିଙ୍କ ହୃଦୟକୁ ଛୁଇଁଥିଲା ।

ଅନନ୍ୟା ଅନନ୍ୟ ପ୍ରତିଭା ସ୍ୱାଗତିକା ସାହୁ ଓ ସ୍ୱପ୍ନା ମହାନ୍ତିଙ୍କ ଦ୍ୱାରା ଯଥାକ୍ରମେ ବିଦାୟୀ ନବ ବର୍ଷ ଅଭିଭାଷଣ ଓ ନବ ବର୍ଷକୁ ଅଭିନନ୍ଦନ ସାରଗର୍ଭକ ଅଭିଭାଷଣ ହୃଦୟସ୍ପର୍ଶୀ ଥିଲା । ପ୍ରଭଞ୍ଜନ ତ୍ରିପାଠୀଙ୍କ ଅଭିନୟ ସଂଗୀତ ଆନନ୍ଦ ଭରିଥିଲା।ତତ୍ପରେ ସଭିଏଁ ଧୂପ ଦୀପ ଜାଳି, ଘଣ୍ଟ ଘଣ୍ଟା ବଜାଇ ଓ ହୁଳହୁଳି କରତାଳି ଦେଇ ପୁରାତନ ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ କରିଥିଲେ ଯାହା ଏକ ଭାବପୂର୍ଣ୍ଣ ଖେଳ ପରି ଲାଗୁଥିଲା । ବରିଷ୍ଠ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ ହୋଇଥିଲା । ବିଗତ ବର୍ଷର ଅନୁଭୂତି ଯୁଗ୍ମ ସମ୍ପାଦିକା ଦୀପ୍ତିଦେବଦର୍ଶିନୀ ସୂତାରଙ୍କ ଦ୍ୱାରା ହୋଇଥିବା ବେଳେ ଧନ୍ୟବାଦ ଅର୍ପଣ ପ୍ରଫୁଲ୍ଲ କୁମାର ହୋତାଙ୍କ ଦ୍ଵାରା, ଅନୁଷ୍ଠାନ ବାର୍ତ୍ତା ସୁଦ୍ରୁମା ପଣ୍ଡାଙ୍କ ଦ୍ୱାରା ଓ ଶାନ୍ତିପାଠ ହାସ୍ୟମୟୀ ରାଜଙ୍କ ଦ୍ୱାରା ହୋଇଥିଲା । ପ୍ରତ୍ୟେକଟି ଭକ୍ତି ସଂଗୀତକୁ ଜଗନ୍ନାଥଙ୍କ ପାଦ ତଳେ ସମର୍ପଣ କରାଯାଇଥିବା ବେଳେ ପ୍ରତ୍ୟେକ କବିତାକୁ କେନ୍ଦୁଝର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପାଦ ତଳେ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର କବି ନରେନ୍ଦ୍ର ପ୍ରସାଦ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.