ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ ): ଆଜି ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି। ନିତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ଯରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନିତି ସହ ଅନ୍ଯାନ୍ଯ ନିତି ବଢିଥିଲା। ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି,କ୍ଷୀର, କଦଳୀ ଆଦି ପଞ୍ଚାମୃତ ପଡି ପଙ୍କ ସଦୃଶ ସୃଷ୍ଟି ହୋଇଥାଏ। ପ୍ରଭୁ ଶ୍ରୀଲୋକନାଥ ପଞ୍ଚାମୃତରେ ବୁଡିକି ରହିଥିବା ବେଳେ ଆଜିର ତିଥିରେ ଗମ୍ଭୀରା ମଧ୍ୟରୁ ଭକ୍ତ ଓ ସେବକ ମାନେ ମିଶି ପଙ୍କୋଦ୍ଧାର କରିବା ପରେ ଭକ୍ତମାନେ ମହାପ୍ରଭୁଙ୍କର ପ୍ରତ୍ଯକ୍ଷ ଦର୍ଶନ କରିଛନ୍ତି। ଭକ୍ତମାନେ ନିଜର ଯାହା ମନସ୍କାମନା ରହିଥାଏ ପଙ୍କୋଦ୍ଧାର ପରେ ମହାପ୍ରଭୁଙ୍କ ଦର୍ଶନ କରି ଗୁହାରୀ କରିଥାନ୍ତି। ପୁଣି ମହାପ୍ରଭୁ ପଞ୍ଚାମୃତରେ ବୁଡିଯାଇଥାନ୍ତି। ତେବେ ଶ୍ରୀଲୋକନାଥ ପିଠରେ ଜାଗର ଯାତ୍ରା ପଙ୍କୋଦ୍ଧାର ଏକାଦଶୀ ଠାରୁ ପାଳନ କରାଯାଇଥାଏ ଯାହା ଅନ୍ଯ କେଉଁଠି ଦେଖିବାକୁ ମିଳେନାହିଁ। ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ। ଶ୍ରୀଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ।

ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ପ୍ରଭୁଙ୍କର ଦିବ୍ଯ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ସେପଟେ କିମ୍ବଦନ୍ତୀ ଅନୁସାରେ ଶ୍ରୀଲୋକନାଥ ଦେବ ମନ୍ଦିର ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଯୁଗଯୁଗ ଧରି ଭକ୍ତମାନେ ଶ୍ରୀଲୋକନାଥଙ୍କ ପିଠକୁ ଆସିଥାନ୍ତି। ନିଜର ମାନସିକ ପାଇଁ ଅଧିଆ ପଡନ୍ତି। ଆଉ ବିଶ୍ୱାସ ରହିଛି ଭକ୍ତ ମାନଙ୍କର ମାନସିକ ପୁରଣ ହୋଇଥାଏ। ଏଠାରେ ଚୁଡାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି। ସେପଟେ ସମାଜ କଲ୍ୟାଣ ପାଇଁ ଆଜିଠାରୁ ତିନିଦିନ ଧରି ପାର୍ବତୀ ପୁଷ୍କରିଣୀ କୂଳରେ ମହାଦୀପ ଜଳିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପଙ୍କୋଦ୍ଧାର ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ଦୁଇଜଣ ଅତିରିକ୍ତ ଏସପି, 6ଜଣ ଡିଏସପି ମନ୍ଦିର ପରିସର ଓ ବାହାରେ ସୁରକ୍ଷା ବ୍ଯବସ୍ଥାର ତଦାରଖ କରୁଥିବା ବେଳେ 8ଜଣ ଇନିସପେକ୍ଟର ଓ 6 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ସେପଟେ ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ତା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ।

Leave a Reply

Your email address will not be published.