ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପୁରୀ,(ନାଗରାଜ ନ୍ୟୁଜ): ପ୍ରତ୍ୟେକ ଜୀବନ ମୂଲ୍ୟବାନ।ତେଣୁ ସଡକ ସୁରକ୍ଷା ସହ ଜୀବନ ରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଗୁରୁତ୍ୱ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଓ ପରିବହନ ଅଧିକାରୀ ମାନଙ୍କର ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଶ୍ରୀ ସାହୁ ଦୁର୍ଘଟଣା ପାଇଁ ବୈଷୟିକ ତୃଟି ଓ ମଣିଷକୃତ ତୃଟି ଦାୟୀ ହୋଇଥାଏ ବୋଲି କହିଥିଲେ। ବିଶେଷ ଭାବେ ରାସ୍ତା ନିର୍ମାଣ ସମୟରେ ବୈଷୟିକ ତୃଟି କୁ ସଂଶୋଧନ କରାଯାଇପାରେ,କିନ୍ତୁ ମାଦକ ଦ୍ରବ୍ଯ ସେବନ କରି ଡ୍ରାଇଭିଂ,ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର, ହେଲମେଟ, ସିଟବେଲ୍ଟ ବ୍ୟବହାର ନ କରିବା, ଭୁଲ ରୁଟରେ ଗାଡି ଚାଳନା, ଓଭର ଲୋଡିଂ ଇତ୍ୟାଦି ପାଇଁ ହେଉଥିବା ଦୁର୍ଘଟଣା ପାଇଁ ବ୍ୟାପକ ସଚେତନତା ବା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଥିଲେ। ଦୁର୍ଘଟଣା ର କାରଣ ଓ ନିରାକରଣର ଅନୁସନ୍ଧାନ ପାଇଁ ଏହି ପ୍ରଶିକ୍ଷଣ ବେଶ ଉପାଦେୟ ହୋଇ ପାରିବ ବୋଲି ଶ୍ରୀ ସାହୁ କହିଥିଲେ ।

ପରିବହନ ବିଭାଗ ର ଯୁଗ୍ମ ସଚିବ ଶ୍ରୀ ସଂଜୟ କୁମାର ବିଶ୍ୱାଳ ବର୍ତ୍ତମାନ ଉନ୍ନତ ମାନର ରାସ୍ତା ନିର୍ମାଣ ସହ ଦୁର୍ଘଟଣା କୁ ବୈଜ୍ଞାନିକ ଓ ବୈଷୟିକ ଭାବେ ଅନୁସନ୍ଧାନ କରାଯାଉଛି। ଉଦ୍ଧାର କର୍ତ୍ତା ଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଗୋଲ୍ଡେନ ସମୟ ବା ଦୁର୍ଘଟଣା ପରେ ପରେ ଯଥା ଶୀଘ୍ର ଚିକିତ୍ସା ପାଇଁ ନାଗରିକ ମାନଙ୍କୁ ସଚେତନ କରାଯାଉଛି ବୋଲି କହିଥିଲେ। ଅତିରିକ୍ତ ଏସପି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ବର୍ତ୍ତମାନ ରାସ୍ତା ନିର୍ମାଣରେ ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଯୋଗୁଁ ଦୁର୍ଘଟଣାକୁ ହ୍ରାସ କରାଯାଉଥିଲେ ମଧ୍ୟ ମାନବକୃତ ତୃଟିର ସୁଧାର ପାଇଁ ବ୍ୟାପକ ସଚେତନତା ଜରୁରୀ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାଫିକ ଡିଏସପି ମନୋବ୍ରତା ଶତପଥୀ, ଆର ଟି ଓ ଶ୍ରୀ ରବିନ ପଟ୍ଟନାୟକ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।ଏହି ପ୍ରଶିକ୍ଷଣ ତାହାକୁ ଅଧିକ କ୍ରିୟାଶୀଳ କରିବ ବୋଲି କହିଥିଲେ। ବିଷୟ ବିଶାରଦ ଭାବେ ଗୁଜରାଟ ର ଜିଗର ସୋନି ଓ ମହାରାଷ୍ଟ୍ରର ରବି ଶଙ୍କର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏମ ଭି ଆଇ ଶ୍ରୀ ବାମଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.