ଗାଁ ଲୋକଙ୍କ ମିଳିତ ଉଦ୍ୟମରେ କାଠ ପୋଲ ନିର୍ମାଣ

ଟିଟିଲାଗଡ, (ସରୋଜ ପୂଝରୀ): ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ବିତିଯାଇଥିଲେ ମଧ୍ୟ ବଲାଙ୍ଗିର ଜ଼ିଲ୍ଲା ଟିଟିଲାଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ମହୁଲପଡା ପଞ୍ଚାୟତର କୁଟୁରାକେନ୍ଦ ଗାଁକୁ ଯାତାୟାତ ପାଇଁ ରାସ୍ତା ନାହିଁ । ନଈନାଳ ଯୋଗୁଁ ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ ଗାଁ । ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇ ପାରନ୍ତି ନାହିଁ । ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହି । ଗାଁକୁ ରାସ୍ତା ଏବଂ ବ୍ରିଜ ପାଇଁ ଗ୍ରାମବାସୀ ଏବଂ ଆଦିବାସୀ ସଂଘ ଜୋରଦାର ଦାବୀ କରିଆସୁଛନ୍ତି । ଅଥଚ ଚଳିତ ବର୍ଷ ରାସ୍ତା ନିର୍ମାଣ ହେଲା ନାହିଁ ।

ରିପୋର୍ଟ ଅନୁସାରେ ଜଙ୍ଗଲ ମଧ୍ୟରେ ଆଦିବାସୀ ଗାଁ । ଜଙ୍ଗଲ ରାସ୍ତାରେ ନଈ ନାଳ ଡେଇଁ ଯିବାକୁ ପଡିଥାଏ ଗାଁକୁ । ଦୀର୍ଘ ବର୍ଷ ଧରି ଗାଁ ଲୋକେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ । ଟିଟିଲାଗଡ ବିଧାୟିକା ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରି ନିରାଶ ହେବା ପରେ ଗାଁ ଲୋକେ ନିଜସ୍ଵ ଉଦ୍ୟମରେ ଆରମ୍ଭ କରିଛନ୍ତି ଏକ କାଠର ପୋଲ ନିର୍ମାଣ । ଗାଁର ଲୋକ ମାନେ ଶ୍ରମଦାନ କରି ଦୁଇ ମୁହାଁ ନାଳ ଉପରେ କରିଛନ୍ତି ଏକ କାଠର ବ୍ରିଜ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୂର୍ବତନ ଶାସନ ସଚିବ ତଥା କେବିକେ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଗ୍ରାମବାସୀଙ୍କ ଶ୍ରମଦାନକୁ ସାଧୁବାଦ୍ ଜଣାଇବା ସହ ଏ ମହତ୍ ଉଦ୍ଦେଶ୍ୟ ନେଇ କାମ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ଆଗାମୀ ଦିନରେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ପାଇଁ ଏକ ବ୍ରିଜ ନିର୍ମାଣ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.