ଆଳୁ ଚାଷକୁ ପ୍ରାଧାନ୍ୟ ଦେଲେ ସରକାର 

ବାଲେଶ୍ଵର,(ନାଗରାଜ ନ୍ୟୁଜ): ରାଜ୍ୟ ସରକାରଙ୍କ ଆଳୁ ମିଶନ ବାଲେଶ୍ଵର ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗ ଦ୍ଵାରା ଏବେ ନିଜର ସଫଳତା ସାଉଁଟି ବାକୁ ଯାଉଛି । ଜିଲ୍ଲାରେ ଚଳିତବର୍ଷ ଦୁଇଶହ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ଯ ହୋଇ ଥିବାବେଳେ କେବଳ ଉତ୍ତର ବାଲେଶ୍ଵରର ଚାରିଟି ବ୍ଲକରେ ଦେଢ଼ ଶହ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି । ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ତରଫରୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦିଆ ଯାଇଥିବା ବେଳେ ହେକ୍ଟର ପିଛା ୫୮ହଜାର ଟଙ୍କା ସବସିଡି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଅମଳ ଆଳୁର ବିକ୍ରି ପାଇଁ ସରକାରୀ ମଣ୍ଡି ଓ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ଏସବୁ ସୁବିଧା ହେଲେ ସୁବର୍ଣ୍ଣରେଖା ନଦୀ ଅବବାହିକାର ଏହି ବିଶାଳ କୃଷି ଉପଯୋଗୀ ଭୂମି ଆଳୁ ଚାଷୀଙ୍କ ପାଇଁ ବରଦାନ ପାଲଟିଯିବ ।ଉତ୍ତର ବାଲେଶ୍ଵରର ଜଳେଶ୍ଵର, ବାଲିଆପାଳ, ଭୋଗରାଇ ଓ ବସ୍ତା ଅଞ୍ଚଳରୁ ଆଳୁ ଚାଷ ସମ୍ପର୍କରେ କିଛି ଜାଣିବା ।
ଆଳୁ ଏକ ସବୁ ଦିନିଆ ପରିବା ଯାହାର ରୋଷେଇ ଶାଳରେ ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି । ଆଉ ଏହି ଆବଶ୍ୟକତା ପୂରଣ ପାଇଁ ଓଡ଼ିଶା ସବୁବେଳେ ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରି ଆସୁଛି । ତେବେ କିଛି ବର୍ଷ ଧରି ଓଡ଼ିଶା ସରକାର ନିଜ ରାଜ୍ୟରେ ଆଳୁ ଚାଷକୁ ପ୍ରତ୍ସାହନ ଦେବା ସହିତ ଅଧିକ ଉତ୍ପାଦନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲ୍ଲା ଉପରେ ସ୍ଵତନ୍ତ୍ର ନଜର ଦିଆ ଯାଇଛି । ଜିଲ୍ଲାର ନୀଳଗିରି ଓ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ଵର ଏବଂ ବାଲିଆପାଳ ବ୍ଲକରେ ଆଳୁ ଚାଷକୁ ଏକ ମିଶନ ଭାବରେ ଗ୍ରହଣ କରି ଉଦ୍ୟାନ କୃଷି ବିଭାଗ ଚାଷୀ ମାନଙ୍କୁ ଊନ୍ନତ ମାନର ବିହନ ଯୋଗାଇ ଦେବା ସହିତ ସବସିଡିର ବ୍ୟବସ୍ଥା କରିଛନ୍ତି । ଫଳରେ ଉତ୍ତର ବାଲେଶ୍ଵରରେ ପାଖାପାଖି ଦେଢ଼ ଶହ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଚାଷୀ ଆଗଭର ହୋଇ ଚାଷ କାମ ବେଶ ଆଗେଇ ନେଇଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ ଚାଷ ବେଶ ଭଲ ହୋଇଥିବା ବେଳେ ଲାଭ କରିବା ଆଶାରେ ଚାଷୀ ଖୁବ ଉତ୍ସାହିତ ଅଛନ୍ତି ।

ଉତ୍ତର ବାଲେଶ୍ଵରର ସୁବର୍ଣ୍ଣରେଖା ନଦୀ ଉପକୂଳ ଅଞ୍ଚଳ ଆଳୁ ଚାଷ ପାଇଁ ବେଶ ଉପଯୋଗୀ । ଏଠାକାର କର୍ମଠ ଚାଷୀ ମାଟି ସହିତ ମାଟି ହୋଇ ଫସଲ ଉତ୍ପାଦନ ପାଇଁ ବେଶ ସଫଳ । ମାତ୍ର ଅମଳ ପରେ ଉତ୍ପାଦିତ ଆଳୁ ବିକ୍ରି ପାଇଁ ସରକାରୀ ମଣ୍ଡି ଓ ଶୀତଳ ଭଣ୍ଡାରର ଅଭାବ ଚାଷୀଙ୍କୁ ଆଳୁ ଚାଷରୁ ବିମୁଖ କରୁଛି । ତେବେ ସରକାର ଓ ଉଦ୍ୟାନ କ୍ରୁଷି ବିଭାଗ ତରଫରୁ ମଣ୍ଡି, ଶୀତଳ ଭଣ୍ଡାରର ବ୍ୟବସ୍ଥା ସହିତ ସବସିଡି ପାଇଁ ମଧ୍ୟ ଯୋଜନା କରାଯାଇଥିବା ବାଲେଶ୍ଵର ଉପ ଉଦ୍ୟାନ କ୍ରୁଷି ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.