ନନ୍ଦନକାନନରେ ଭାଲୁ ଆକ୍ରମଣରେ ଗାଇଡ ଗୁରୁତର ଆହତ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡଙ୍କୁ ଆକ୍ରମଣ । ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡଙ୍କୁ ଆକ୍ରମଣ କରିଛି ଭାଲୁ । ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ଆହତ ଯୁବକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗାଁର ଟୁଲୁ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା । ସାଥୀରେ ଥିଲେ ଗାଇଡ ନିବାସ ବେହେରା । ସଫାରୀରେ ବୁଲାବୁଲି ସାରି ପ୍ରାୟ ୪.୨୦ ମିନିଟରେ ଫେରୁଥିବା ବେଳେ ଛପି ରହିଥିବା ଗୋଟିଏ ଭାଲୁଟି ବସ ଉପରକୁ ଲମ୍ଫ ମାରିଥିଲା। ବସ ଝରକାରେ ବାହାରିଥିବା ଗାଇଡଙ୍କ ହାତକୁ ଝୁଣି ପକାଇଥିଲା ଭାଲୁ । ଏହାପରେ ବସ ଉପରେ ଡିଆଁ ଡେଇଁ କରିଥିଲା । ସେହି ସମୟରେ ନିବାସ ବେହେରା ଅଜାଣତରେ ଝରକା ବାହାରକୁ ନିଜର ହାତ ବାହାର କରିଦେଇ ଥିଲେ। ବସ ଛାତ ଉପରେ ଡେଉଁଥିବା ଭାଲୁଟି ନିବାସଙ୍କ ଡାହାଣ ହାତକୁ ଝୁଣି ପକାଇଥିଲା । ଫଳରେ ସେ ରକ୍ତାକ୍ତ ହୋଇଯାଇଥିଲେ।

ଅନ୍ୟପଟରେ ଏହି ଘଟଣା ନେଇ ନନ୍ଦନକାନନ ଡେପୁଟି ଡାଇରେକ୍ଟର ସଂଜୀବ କୁମାର କହିଛନ୍ତି, ଯେଉଁ ଯୁବକ ଜଣକ ଭାଲୁ କାମୁଡାରେ ରକ୍ତାକ୍ତ ହୋଇଛନ୍ତି, ସେ ଥିଲେ ଜଣେ ଅଣସ୍ୱୀକୃତିପ୍ରାପ୍ତ ଗାଇଡ଼ । ରକ୍ତମୁଖା ଭାଲୁର ଏ ଉଗ୍ର ରୂପ ଦେଖି ଭୟଭୀତ ହୋଇଯାଇଥିଲେ ପର୍ଯ୍ୟଟକ ।

Leave a Reply

Your email address will not be published.