ଧୋକା ଦେଇ ଜେଲ୍‌ରେ ପଡିଲା ହାତଗଣ୍ଠି

କଟକ: ଧୋକା ଦେଇଥିଲେ, ଜେଲ୍‌ରେ ବାହାହେଲେ । କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଦଣ୍ଡ । ଜେଲ୍‌ ଗଲା ପରେ ଅନୁତାପ କଲେ । ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି ହେଲେ । ଚୌଦ୍ୱାର ସର୍କଲ୍‌ ଜେଲ୍ ପରିସରରେ ଆଜି ପଡିଛି ହାତଗଣ୍ଠି । ଦୁଇ ପରିବାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଦେଲେ ଅଂଶୁମାନ। ତେବେ ଏଭଳି ଘଟଣାଟି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନାରେ ଦେଖିବାକୁ ମିଳିଛି । ପିଠାପଡ଼ା ଗାଁର ପୁରସ୍ତମ ସେଠୀଙ୍କ ଝିଅ ଚିନ୍ମୟୀ ସାଲେପୁର କଟରୋପା ଅଞ୍ଚଳର ଅଂଶୁମାନ ମଲ୍ଲିକଙ୍କୁ ପ୍ରେମ କରୁଥିଲେ । ଦୁହେଁ ଦୁହିଙ୍କୁ ବହୁ ଭଲ ପାଉଥିଲେ ।

ହେଲେ ହଠାତ କଣ ହେଲା କେଜାଣି, ଚିନ୍ମୟୀଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଅଂଶୁମାନ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ। ଏ ସମ୍ପର୍କ ଚିନ୍ମୟୀ ଜାଣିପାରି ବିବାହ କରିବାକୁ ଅଂଶୁମାନକୁ ନିବେଦନ କରିଥିଲେ । ମାତ୍ର ସେ ପ୍ରତ୍ୟାଖାନ କରିଥିଲେ। ଏପରିକି ଅଂଶୁମାନ ଧରାଛୁଆଁ ଦେଇନଥିଲେ । ଯାହାକୁ ନେଇ ଗାଁରେ ବୈଠକ ବସିଥିଲା । ମାତ୍ର କୌଣସି ସୁଫଳ ବାହାରି ପାରିନଥିଲା । ଏସବୁ ମଧ୍ୟରେ ଅଂଶୁମାନ ପାଇଁ ପରିବାର ଲୋକେ ଝିଅ ଖୋଜାରେ ଲାଗି ପଡ଼ିଥିଲେ । ଅଂଶୁମାନଙ୍କ ପରିବାରଠାରୁ ନିରାଶ ହୋଇ ଚିନ୍ମୟୀଙ୍କ ପରିବାର ଲୋକେ ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଅଂଶୁମାନଙ୍କୁ ୨୦୨୦ ମସିହା ନଭେମ୍ବର ମାସରେ ଗିରଫ କରିଥିଲା । ଅଂଶୁମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା । ମାମଲା ସ୍ପେଶାଲ୍‌ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା । ଏହାରି ଭିତରେ ଚିନ୍ମୟୀ ନାବାଳିକାରୁ ସାବାଳିକା ହୋଇଯାଇଥିଲେ । ଅଂଶୁମାନ ମଧ୍ୟ ନିଜର କର୍ମ ପାଇଁ ଅନୁତପ୍ତ ଥିଲେ । ଚିନ୍ମୟୀକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏନେଇ ସେ ନିଜ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଚିନ୍ମୟୀ ଓ ଅଂଶୁମାନଙ୍କ ବିବାହ ହୋଇଥିଲା।

Leave a Reply

Your email address will not be published.