ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ କରିବାକୁ ଦାବି କଲା ସାମ୍ବାଦିକ ସଂଘ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲି ମାଫିଆ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଲୁଟ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । ବାରମ୍ବାର ଅଭିଯୋଗ ପରେ ବି ସମସ୍ତ ପ୍ରଶାସନିକ ଅଧିକାରୀ ନିରବ । ମାଡ ଖାଉଛନ୍ତି ସାମ୍ବାଦିକ । ଆଇନ ଆଖିରେ ଧୂଳି ଦେଇ ପ୍ରଶାସନ ଠୁଁ ବାଲି ମାଫିଆ ସମସ୍ତେ ଏଠି ମାଲେମାଲ । ବିନା ରୟାଲଟିରେ ଶହ ଶହ ଗାଡି ବାଲି ବେପାର କରାଯାଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ଖାଦାନ ମାଲିକଙ୍କ ଠାରୁ ଦୂରେଇ ଯାଉଛି, ଫଳସ୍ୱରୁପ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅଧିନସ୍ଥ ପାରୁଳିଆ ଛକ ନିକଟରେ ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ପାରୁଳିଆ ସୁବର୍ଣ୍ଣରେଖା ପୋଲ ନିକଟରୁ ପ୍ରତ୍ୟେକ ଦିନ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଗତ ତିନି ମାସ ତଳେ ଗଣମାଧ୍ୟମ ଦ୍ୱାରା ଉକ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ତହସିଲ ପ୍ରଶାସନ ଏବଂ ପୋଲିସ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏବେ ପୁଣି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ଖବର ପରିବେଷଣ କରିଥିବା ଜଣେ ସାମ୍ବାଦିକଙ୍କୁ ଗତକାଲି ରାତିରେ ମାଫିଆ ମାନେ ପାରୁଳିଆ ଛକ ନିକଟରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସାମ୍ବାଦିକଙ୍କୁ ପ୍ରଥମେ ବାଲିଆପାଳ ଏବଂ ପରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟାୟର ପର୍ଦ୍ଦାଫାଶ କରିଥିବା ସାମ୍ବାଦିକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ, ଘଟଣାକୁ ୧୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଖୁବ୍ ଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଛି । ତେବେ ବାରମ୍ବାର ଅଭିଯୋଗ ପରେ ତହସିଲ ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିବା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଏହାକୁ ନେଇ ବାଲିଆପାଳ ସାମ୍ବାଦିକ ସମୁହ ଘଟଣାକୁ ନିନ୍ଦା କରିବା ସହିତ ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରିବାକୁ ଦାବି କରିବା ସହିତ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀନବନ୍ଧୁ ପ୍ରଧାନ, ପ୍ରଦୀପ କୁମାର ଜେନା, ଦିଲ୍ଲୀପ କୁମାର ଦାସ, ଚିନ୍ମୟ କୁମାର ଦାସ, ଲକ୍ଷ୍ମୀଧର ପ୍ରଧାନ, ଚନ୍ଦନ କୁମାର ଅଣ୍ଡିଆ, ଚନ୍ଦନ ଜେନା, ସୁଶାନ୍ତ କୁମାର ମଣ୍ଡଳ, ରାଜେଶ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ସମୁହ । ଏଥିସହିତ ବାଲିଆପାଳରେ ସାମ୍ବାଦିକ ଆକ୍ରମଣ ଘଟଣାରେ ମୁହଁ ଖୋଲିଛନ୍ତି ବୁଦ୍ଧିଜୀବୀ । ଘଟଣାକୁ ନିନ୍ଦା କରିବା ସହିତ ଘଟଣାରେ ଜଡ଼ିତ ଥିବା ଅପରାଧି ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.