ଅଶ୍ଳୀଳ ଭାଷା ନେଲା ମହିଳାଙ୍କ ଜୀବନ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): କଟକ ବଡ଼ ମେଡ଼ିକାଲରେ ଚଳିତ ମାସ ୧ ତାରିଖ ଠାରୁ ଚିକିତ୍ସିତ ହେଉଥିବା ଯଶୋଦା ସେଣ୍ଢ (୫୫ବର୍ଷ)ଙ୍କର ଆଜି ସକାଳ ୮ ଘଟିକା ସମୟରେ ମୃତ୍ୟୁ ହୋଇଯାଇଛି । ଖବରରୁ ଯାହା ଜଣାପଡିଛି ଖଇରା ଥାନା ସରଖିଆ ଗ୍ରାମ କେନାଲ ବନ୍ଧ ପାଖରେ ଡମ୍ବରୁଧର ନାୟକଙ୍କର ଏକ ଦୋକାନ ଅଛି । ପୂର୍ବଦିନ ସନ୍ଧ୍ୟାରେ ଦୋକାନ ନିକଟରେ କେତେଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପରଦିନ ସକାଳେ ଡମ୍ବରୁଧର ନାୟକଙ୍କ ପୁଅ ଦୋକାନରେ ଥିଲା ବେଳେ ସରଖିଆ ଗ୍ରାମର ଡମ୍ବରୁଧର ନାୟକ ପିତା ଗୟାଧର, ରତିକାନ୍ତ ନାୟକ ଓରଫ ଛୁଆ କାଳିଆ ପିତା ଡମ୍ବରୁଧର ଓ ଗଧିଆ ନାୟକ ପିତା ଲମ୍ବୋଦର ବିଭିନ୍ନ ପ୍ରକାର ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଉଥିଲେ ଦୋକାନୀକୁ । ଗଣ୍ଡଗୋଳର କାରଣ ଜାଣିବା ପାଇଁ ମାଆ ଯଶୋଦା ସେଣ୍ଢ ଘଟଣା ସ୍ଥଳକୁ ଦୌଡି ଯାଇଥିଲେ । ହେଲେ ଗଣ୍ଡଗୋଳକାରୀ ମାନେ ମଧ୍ୟ ଶ୍ରୀମତୀ ସେଣ୍ଢଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ । ପୁଅ ସାମ୍ନାରେ ଏଭଳି ଭାଷା ପ୍ରୟୋଗକୁ ମାଆ ସହଜରେ ବରଦାସ୍ତ କରି ପାରିନଥିଲେ । ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ଘରକୁ ଯାଇ ଆତ୍ମହତ୍ୟା କରିବା ପାଇଁ ଘରେ ଥିବା ବିଷାକ୍ତ ପଦାର୍ଥ ପିଇଦେଇଥିଲେ ।

ଏହା ଜାଣିପାରି ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବା ଜାଣି ଖଇରା ମେଡିକାଲ ଭଦ୍ରକ ସ୍ଥାନାନ୍ତର କରିଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୮ ଘଟିକା ସମୟରେ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ପ୍ରକାଶ ଥାଉକି- ଘଟଣା ବିଷୟରେ ଗତ ତା ୦୧/୮/୨୧ ରିଖରେ ଆବେଦନକାରୀ ଡମ୍ବରୁଧର ନାୟକ ଖଇରା ଥାନାରେ ଲିଖିତ କରିଥିବା ଜଣାପଡିଛି ।

Leave a Reply

Your email address will not be published.