ରାସ୍ତା ଯୋଗୁଁ ଚାଲିଗଲା ନିରୀହ ଶିଶୁର ଜୀବନ, ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା

ବାଲେଶ୍ବର, (ନାଗରାଜ ନ୍ଯୁଜ): ବାଲେଶ୍ବର ଜିଲ୍ଲା ସୋର–କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ବଟେଶ୍ୱର ଛକ ଠାରେ ଉତ୍ଯକ୍ତ ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛି ଦୀର୍ଘଦିନ ହେବ ବଟେଶ୍ୱର–ଗାନ୍ଧାଳୀ ରାସ୍ତା ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଏଥି ପ୍ରତି କାହାର ନଜର ନାହିଁ । ବହୁବାର ସ୍ଥାନୀୟ ପ୍ରଶାସନ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ନୀରବ ।

ସୂଚନାଯୋଗ୍ୟ ଆଜି ସକାଳେ ୩ ଜଣ ଶିଶୁ ସାଇକେଲରେ ଯାଉଥିବା ବେଳେ ଉକ୍ତ ରାସ୍ତାରେ ଥିବା ପୋଲ ନିକଟରେ ୨ଜଣ ନାଳକୁ ଖସି ପଡ଼ିଥିଲେ । ଅନ୍ୟ ସାଙ୍ଗର ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡ଼ି ଆସି ଜଣକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଖଇରା ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବରପାଇ ଖଇରା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିରେ ସ୍ଥାନୀୟ ଜନସାଧାରଣ ଉତ୍ଯକ୍ତ ହୋଇ ରାଜ୍ୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ । ଏହାସହିତ ରାସ୍ତାର ପୁନଃରୁଦ୍ଧାର ପାଇଁ ଦାବି କରି ରାସ୍ତାରେ ବସି ରହିଥିଲ । ଯଦି ସ୍ଥାନୀୟ ପ୍ରଶାସନ ବା ସରକାର ରାସ୍ତା ମରାମତି ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ରାସ୍ତା ରୋକ ସଙ୍ଗେ ସଙ୍ଗେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଉତ୍ଯକ୍ତ ଜନତା ଚେତାବନୀ ଦେଇଛନ୍ତି । ଖବରପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ଉତ୍ଯକ୍ତ ଜନତାଙ୍କ ଦ୍ବାରା ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚିଛନ୍ତି ।

ବାଲେଶ୍ବରର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.