ତାଲିବାନୀଙ୍କ କାର୍ଯ୍ୟକଳାପ ଉପରେ ଭାରତର ନଜର, ଚର୍ଚ୍ଚା ପାଇଁ ବସିଛି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): ତାଲିବାନ ଆଫଗାନିସ୍ତାକୁ ନିଜ କବ୍ଜାକୁ ଆଣିବା ପରେ ଏବେ ଭାରତ ପାଇଁ ଭୟ ବଢିଯାଇଛି । ଯେହେତୁ ପାକିସ୍ଥାନ ଓ ଚୀନ ତାଲିବାନୀଙ୍କ ସହ ହାତ ମିଳେଇ ସାରିଛନ୍ତି । ଏହି ଦୁଇ ଦେଶର ତାଲିବାନ ପ୍ରତି ମିତ୍ରତା ଭାରତ ପ୍ରତି ତାଲିବାନନର ଶତୃତା ମନୋଭାବକୁ ସ୍ଥିର କରିଦେଇଛି । ଏହା ଉପରେ ତାଲିବାନର ଆଫଗାନିସ୍ତାନ କବଜା ପରେ ଲଗାତାର ସ୍ଥିତି ବଦଳିବାରେ ଲାଗିଛି। ଏହି ଘଟଣାକ୍ରମରେ ଚର୍ଚ୍ଚା ପାଇଁ କେନ୍ଦ୍ର ସରକାର ଆଜି (୨୬ ଅଗଷ୍ଟ) ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି, ଯାହାକି ଦିଲ୍ଲୀରେ ଚାଲିଛି ।

ଆଫଗାନିସ୍ତାନକୁ ନେଇ ଚାଲିଥିବା ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲାଦ ଯୋଶୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୂରଲୀଧରନ୍ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାଓ୍ବଲ ସାମିଲ ଅଛନ୍ତି। ଏହାଛଡା ତାଙ୍କ ସହିତ ବିରୋଧୀ ଦଳର ପ୍ରମୁଖ ନେତା ମଧ୍ୟ ସାମିଲ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ମାଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ ଓ ଆନନ୍ଦ ଶର୍ମା ଉପସ୍ଥିତି ଥିଲେ। ସେଭଳି ଏନସିପିରୁ ଶରଦ ପାଓ୍ବାର, ଟିଏମସିରୁ ଶୁଭେନ୍ଦୁ ଶେଖର ରାୟ ଓ ସୌଗାତ ରାୟ ଯୋଗ ଦେଇଥିଲେ । 

ଏଥିସହିତ ଡିଏମକେରୁ ତିରୁଚି ଶିବା, ଆରଜେଡିରୁ ପ୍ରେମଚନ୍ଦ ଗୁପ୍ତା, ଏଆଇଏମଆଇଏମ ପକ୍ଷରୁ ଅସଦୁଦ୍ଧିନ୍ ଓଓ୍ବେସୀ, ଆମ ଆଦମୀ ପାର୍ଟି ପକ୍ଷରୁ ଏନଡି ଗୁ୍ପ୍ତା, ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଆଫଗାନିସ୍ତାନରେ ତାଲିବାନର ଶାସନ ଉପରେ ଭାରତ ସରକାର ଏହା ମଧ୍ୟ ଧାର୍ଯ୍ୟ କରିବେ ଯେ, ତାଙ୍କର ରଣନୀତି କ’ଣ ହେବ ଓ ଏହି ରଣନୀତି ସର୍ବଦଳୀୟ ବୈଠକର ମୁଖ୍ୟ ଏଜେଣ୍ଡା ରହିଛି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଫଗାନିସ୍ତାନକୁ ନେଇ ରାଜନୈତିକ ଦଳର ନେତାଙ୍କୁ ସୂଚନା ଦେଉଛନ୍ତି ।

Leave a Reply

Your email address will not be published.