କଂଗ୍ରସରେ ବଢିବାରେ ଲାଗିଛି ଗୋଷ୍ଠୀ କନ୍ଦଳ

ଭୁବନେଶ୍ବର, (ନାଗରାଜ ନ୍ଯୁଜ): କଂଗ୍ରେସର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିଲେ ମଧ୍ୟ ପ୍ରତିଦିନ ଗଣମାଧ୍ୟମରେ ପରସ୍ପର ପରସ୍ପରର ଦୋଷ ଦୁର୍ବଳତା ପଦାରେ ପକାଉଛନ୍ତି । ତାରା ନିରଞ୍ଜନଙ୍କ ବିରୋଧରେ କହୁଥିବା ବେଳେ ପ୍ରଦୀପ ତାରାଙ୍କୁ ଟାର୍ଗେଟ୍‌ କରିଛନ୍ତି । ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଛନ୍ତି ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ ତାରାଙ୍କ ବିରୋଧରେ ବର୍ଷୁଛନ୍ତି । କେବେ ପ୍ରଦୀପ ମାଝି ତ ପୁଣି କେବେ ବିଧାୟକ ସୁରେଶ କୁମାର ରାଉତରାୟ ତ ପୁଣି କେବେ ଏଆଇସିସି ସଦସ୍ୟ ଶରତ ରାଉତ ଏହି ପ୍ରସଙ୍ଗରେ ମୁହଁ ଖୋଲୁଛନ୍ତି ।

୨୦୦୪ରେ ରାଜ୍ୟରେ କଂଗ୍ରେସର ଭୋଟ ୩୪.୦୮ ପ୍ରତିଶତ ରହିଥିଲା । ଯାହା ୨୦୦୯କୁ ୨୯ ପ୍ରତିଶତକୁ ଖସିଥିଲା । ସେହପରି ୨୦୧୪ରେ ଏହା ୨୫.୦୨ ପ୍ରତିଶତକୁ ଖସିଥିବା ବେଳେ ୨୦୧୯ରେ ସବୁ ରେକର୍ଡ ଭାଙ୍ଗିଥିଲା । ନେତାମାନେ ଏବେ ପରସ୍ପର ପରସ୍ପର ଗୋଡ଼ ଟଣାରେ ମାତିଛନ୍ତି । କୋରାପୁଟ ନେତାଙ୍କ ବିବାଦ ଏବେ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଛି । ପୂର୍ବରୁ ରାଜ୍ୟରେ ଶାସକ କିମ୍ବା ବିରୋଧୀ ଭାବେ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ତୃତୀୟ ସ୍ଥାନକୁ ଖସିଥିଲା । ତଥାପି ସୁଧୁରୁନାହାନ୍ତି କଂଗ୍ରେସ ନେତା । ଏପରିକି ଗତ ଜିଲ୍ଲା ସଭାପତିମାନଙ୍କ ବୈଠକରେ ତାରାଙ୍କ ପତ୍ନୀ ମିନାକ୍ଷୀଙ୍କୁ ଦେଖିବାକୁ ମିଳିନଥିଲା ।

ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଭଳି ଅନ୍ୟ କିଛି ନେତା ହାଇକମାଣ୍ଡ ତଥା ପ୍ରଭାରୀ ଚେଲାକୁମାରଙ୍କ ହାତରେ ନିଷ୍ପତ୍ତି ଛାଡିଛନ୍ତି । ହେଲେ ଏସବୁ ଭିତରେ କଂଗ୍ରେସ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ପୂର୍ବରୁ ଜେନା ଓ ପଟ୍ଟନାୟକ ଗୋଷ୍ଠୀ କନ୍ଦଳ ଚାଲିଥିଲା । ଏବେ ଗୋଷ୍ଠୀରେ ନେତା ବଦଳିଛନ୍ତି କିନ୍ତୁ ବଦଳିନି କନ୍ଦଳ । କଂଗ୍ରେସିଆ ସେମାନଙ୍କର ପୁରୁଣା ରୋଗ ଛାଡି ପାରିନାହାନ୍ତି । ବିଜେଡି ଓ ବିଜେପିଠୁ ଶିଖିବାକୁ ପ୍ରସ୍ତୁତ ନୁହଁନ୍ତି । ବିଜେଡି ଓ ବିଜେପିର ଗୋଷ୍ଠୀ କନ୍ଦଳ ଥିଲେ ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏକଜୁଟ୍‌ ହୋଇ ବିଭିନ୍ନ ରାଲି ଓ ସମାବେଶ କରୁଥିବା ବେଳେ କଂଗ୍ରେସ ନେତା କିନ୍ତୁ ପରସ୍ପରର ଗୋଡ଼ ଟଣାରେ ମାତିଛନ୍ତି । ଏହାରି ଭିତରେ କଂଗ୍ରେସର ଭୋଟ୍‌ ବ୍ୟାଙ୍କ କମିବାରେ ଲାଗିଛି ।

Leave a Reply

Your email address will not be published.