ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ

ପୁରୀ ( ନାଗରାଜ ନ୍ୟୁଜ): ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ଅବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶ ରେ ମହାପ୍ରଭୁଙ୍କ ଏହି ପଦ୍ମ ବେଶ ହୋଇଥାଏ । ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ । ସୂଚନା ଅନୁଯାୟୀ ସ୍ତପଦଶ ମସିହାରରେ ଏହି ବେଶ ଆରମ୍ଭ ହୋଇଥିବା ଜଣାପଡେ । ରଘୁବର ଦାସ ମହାପ୍ରଭୁଙ୍କ ଜଣେ ଭକ୍ତ ଥିଲେ । ସେ ଶ୍ରୀମନ୍ଦିର ନିକଟ ବଡ଼ଛତା ମଠରେ ମଠାଧିସ ଭାବରେ ମହାପ୍ରଭୁଙ୍କ ସେବା କରୁଥିଲେ । ମହାପ୍ରଭୁଙ୍କୁ ସୋଲରେ ନିର୍ମିତ ପଦ୍ମ ଫୁଲରେ ବେଶ କରିବା ପାଇଁ ଏକଦା ରଘୁବର ଦାସ ଚିନ୍ତାକରି ସୋଲ, କଇଥ ଅଠା ଝରି ଆଦ ରେ ପଦ୍ମ ଫୁଲ ତିଆରି କରିବା ସହ ଚାଉଳଖିରି ତିଆରି କରି ମହାପ୍ରଭୁଙ୍କୁ ବେଶ କରିବା ଓ ଖିରି ମଣୋହି କରିବା ପାଇଁ ଶ୍ରୀମନ୍ଦିର କୁ ଯାଇଥିଲେ ।

ମାତ୍ର ସେ ସମୟରେ ସୂର୍ଣ୍ଣ ଅଳଙ୍କାର ଛଡା ଅନ୍ୟ କୌଣସି ବସ୍ତୁରେ ମହାପ୍ରଭୁଙ୍କ ବେଶ ହେଉନଥିବାରୁ ଏବଂ ଶ୍ରୀମନ୍ଦିର ବାହାର ଜିନିଷ ମହାପ୍ରଭୁଙ୍କ ନିକଟରେ ଭୋଗ କରାଯିବାର ବିଧି ନଥିବାରୁ ରୁଘୁବର ଦାସଙ୍କ ନିର୍ମିତ ବେଶ ଓ ଖିରିକୁ ସେବକମାନେ ଫେରାଇ ଦେଇଥିଲେ । ଯାହାଫଳରେ ରଘୁବର ଦାସ ମନ ଦୁଃଖରେ ମଠକୁ ଫେଇଆସି ମହାପ୍ରଭୁଙ୍କୁ ଦୁଃଖ ଶୁଣାଇଥିଲେ । ମହାପ୍ରଭୁଙ୍କ ଭକ୍ତର ଭାବ ଜାଣିପାରି ଗଜପତିଙ୍କୁ ସ୍ୱପ୍ନାଦେଶ କରିବା ସହ ରଘୁବର ଦାସଙ୍କ ନିର୍ମିତ ପଦ୍ମବେଶ ଓ ଖିରି ଲାଗି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ମହାପ୍ରଭୁଙ୍କ ନିକଟରେ ବଡ଼ଛତା ମଠ ପକ୍ଷରୁ ଛାଉଳଖିରି ଓ ବେଶ ଯୋଗାଇ ଦିଆଯାଉଅଛି । ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଯାହାଫଳରେ ସୁଖିଲା ଫୁଲକୁ ସେବକ ମାନେ ଗ୍ରହଣ କରିନଥିଲେ । ତେବେ ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ କରି ଉକ୍ତ ଫୁଲକୁ ଲାଗି କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା ।

Leave a Reply

Your email address will not be published.